ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଓ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆଞ୍ଚଳିକ ପରିବହନ ବିଭାଗ। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ନୂତନ ମୋଟର ଯାନ ନିୟମ ଲାଗୁ ହେବାପରେ ଆରଟିଓ କାର୍ଯ୍ୟାଳୟ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀଙ୍କ ଭିଡ଼ ଲାଗି ରହୁଛି। ବର୍ତ୍ତମାନ କରୋନାକୁ ନେଇ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏହାକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଓ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ତେବେ ଆରଟିଓ କାର୍ଯ୍ୟାଳୟରେ ଫିଟନେସ, ପରମିଟ ଓ ଟାକ୍ସ କଲେକ୍ସନ ଭଳି କାର୍ଯ୍ୟ ଜାରି ରହିବ। ଏନେଇ ଆଞ୍ଚଳିକ ପରିବହନ ବିଭାଗ ସୂଚନା ଦେଇଛି।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ରାଜ୍ୟ ସରକାର ସମସ୍ତ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି। କରୋନୋ ସନ୍ଦିଗ୍ଧଙ୍କୁ ନିକଟସ୍ଥ ମେଡିକାଲର ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment