ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-test

କରୋନାକୁ ମାତ୍ ଦେଇଛନ୍ତି ଜଣେ ୧୦୩ ବର୍ଷୀୟା ବୃଦ୍ଧା। ଇରାନର ସେମନାନ୍ ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

କରୋନା ଭଳି ମାରାତ୍ମକ ରୋଗକୁ ମାତ୍ ଦେଇ ଘରକୁ ଫେରିଛନ୍ତି ଜଣେ ୧୦୩ ବର୍ଷୀୟା ବୃଦ୍ଧା। ଏଭଳି ଘଟଣା ଦେଖାବାକୁ ମିଳିଛି ଇରାନର ସେମନାନ ମେଡିକାଲରେ। କରୋନା ଭାଇରସ ମୁଖ୍ୟତଃ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ସଂକ୍ରମିତ ହେଉଛି। ସାଧାରଣତଃ ବୟସ୍କ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ। ଏଭଳି ସ୍ଥିତିରେ ଜଣେ ୧୦୩ ବର୍ଷୀୟା ବୃଦ୍ଧା କରୋନାରୁ ଭଲ ଆସିବା ସଭିଙ୍କୁ ବିଶ୍ମୟ କରିଛି।

ଇରାନର ରାଜଧାନୀ ତେହରାନଠାରୁ ୧୮୦ କିମି ଦୁରରେ ସେମନାନ ସହର ରହିଛି। କିଛିଦିନ ତଳେ ଜଣେ ବୃଦ୍ଧା ଜଣକ କରୋନା ଆକ୍ରାନ୍ତ ହୋଇ ସେମନାନ୍ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ବୃଦ୍ଧା ଜଣକ ବିଶ୍ଵର ସମସ୍ତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ବୟସ୍କ କୁହାଯାଉଛି। ତେବେ ସେଠାରେ ଚିକିତ୍ସା ହେବାପରେ ବୃଦ୍ଧା ଜଣକ ସମ୍ପୁର୍ଣ୍ଣ ଭଲ ହୋଇ ଘରକୁ ଫେରିଛନ୍ତି।

ସେମନାନ ମେଡିକାଲର ଜଣେ ଡାକ୍ତର ନବିଦ ଦାନାଇ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୃଦ୍ଧା ଜଣକ ଏତେ ଜଲ୍‌ଦି ଭଲ ହେବାକୁ ଆମକୁ ଚକିତ କରିଛି। ଏତେ କମ୍ ରୋଗ ପ୍ରତିରୋଧକ ଶକ୍ତି ଥାଇ ମଧ୍ୟ ବୃଦ୍ଧା ଜଣକ ଏତେ ଜଲ୍‌ଦି ଭଲହେବା କୌଣସି ଚମତ୍କାର ଠାରୁ କମ୍ ନୁହେଁ।

ବୃଦ୍ଧାଙ୍କ ଦେହରେ ସ୍ଵାଶରୋଗ ଓ ରକ୍ତଚାପ ଭଳି ସମସ୍ୟା ରହିଛି। ଏଭଳି ସମସ୍ୟା ରହିଥିଲେ କରୋନା ରୋଗୀଙ୍କ ପାଇଁ ମାରାତ୍ମକ ବୋଲି କୁହାଯାଉଛି। ବୃଦ୍ଧାଙ୍କ ପରିଚୟ ଗୋପନ ରଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ପୂର୍ବରୁ ଚୀନର ଉହାନ ସହରରୁ ମଧ୍ୟ ଜଣେ ୧୦୩ ବର୍ଷୀୟ ବ୍ୟକ୍ତି କରୋନା ଭାଇରସରୁ ଭଲ ହୋଇ ଘରକୁ ଫେରିଥିବା ଖବର ସାମ୍ନାକୁ ଆସିଥିଲା।

କରୋନାକୁ ନେଇ ସଚେତନ ରହିବାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ସେହିଭଳି ମାସ୍କ ସାନିଟାଇଜର ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସାରା ବିଶ୍ଵରେ କାୟା ବିସ୍ତାର କରିଛି ମାରାତ୍ମକ କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୯ହଜାରରୁ ଅଧିକ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment