ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ଆରମ୍ଭରୁ ସାଂଘାତିକ ସ୍ଥିତି। ଅଗଷ୍ଟରେ ବି ଅସମ୍ଭାଳ ଥିଲା କରୋନା ସ୍ଥିତି। ସଂଗରୋଧରୁ ଆଉ ସଂକ୍ରମଣ ମାମଲା ସାମ୍ନାକୁ ଆସୁନାହିଁ। ଯେଉଁମାନେ ବି ସଂକ୍ରମିତ ହେଉଛନ୍ତି, ସମସ୍ତେ ସ୍ଥାନୀୟ ସଂକ୍ରମଣରୁ। ସବୁଦିନ ମାମଲା ସଂଖ୍ୟା ୧୦୦ ଟପୁଥିବାରୁ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛନ୍ତି। ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ସ୍ଥିତି ଭାରି ସଂଗିନ।

corona case

ସେପ୍ଟେମ୍ବର ୧ରେ ବାଲେଶ୍ୱରରୁ ୪୦ଜଣ ରୋଗୀ ଚିହ୍ନଟ ହୋଇଥିଲେ, ୨ ତାରିଖରେ ୧୯୪, ୩ ତାରିଖରେ ୧୧୪ ଓ ୪ ତାରିଖରେ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତେ ସ୍ଥାନୀୟ ସଂକ୍ରମିତ। ଡାକ୍ତର, ପୋଲିସ ସମସ୍ତେ ସଂକ୍ରମିତ ହେଉଛନ୍ତି। ୩ ତାରିଖ ଦିନ ସୋର ମ୍ୟୁନିସିପାଲିଟି ପୌରନିର୍ବାହୀ ଅଧିକାରୀ, ଡାକ୍ତରଖାନା ଅଧୀକ୍ଷକ, ବିପିଏମ, ଆଇଆଇସି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ଏହା ସହ ଗୋଟେ ଛୋଟ ଗାଁରୁ ମଧ୍ୟ ୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ପ୍ରଶାସନ କହିବା ଅନୁସାରେ ଟେଷ୍ଟିଂ ବଢୁଥିବାରୁ ପଜିଟିଭ୍ ବଢୁଛି। ଅଗଷ୍ଟ ମାସରେ ବି ବାଲେଶ୍ୱର ଜିଲ୍ଲାର ସ୍ଥିତି ଅସମ୍ଭାଳ ହୋଇଥିଲା। ଏକଦମ ବିସ୍ଫୋରକ ସ୍ଥିତିରେ ରହିଥିଲା। ୧୫ ତାରିଖ ପରଠାରୁ ସବୁଦିନ ୧୦୦ରୁ ଅଧିକ ଲେଖାଏଁ ରୋଗୀ ଚିହ୍ନଟ ହୋଇ ଆସୁଛନ୍ତି। ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୫ଜଣଙ୍କର ଅନ୍ୟକାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ଏବେସୁଦ୍ଧା ୪୦୫୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୧୧ଜଣ କୋଭିଡ୍ ହସପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।

BGU

କରୋନାକୁ ନେଇ ଭଦ୍ରକ ସ୍ଥିତି ବି ଉଦବେଗଜନକ ରହିଛି। ଅଗଷ୍ଟ ଆରମ୍ଭରୁ ଶେଷ ଯାଏ ଅଧିକାଂଶ ଦିନ ୧୦୦ ଛୁଇଁଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ସେପ୍ଟେମ୍ବର ଆରମ୍ଭରୁ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ୧ ତାରିଖରେ ୯୪ ଜଣ, ୨ ତାରିଖରେ ୮୭ଜଣ, ୩ ତାରିଖରେ ୧୮୬ ଓ ୪ ତାରିଖରେ ୧୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରାୟ ସମସ୍ତେ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏବେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ଅଧିକ ସତର୍କ ହେବା ପାଇଁ ଜିଲ୍ଲାପ୍ରଶାସନ ଅନୁରୋଧ କରିଛି। ଜିଲ୍ଲାରେ ମୋଟ ୩୨୩୭ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୩୮ ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି।

ମୟୂରଭଞ୍ଜରେ ସବୁଠାରୁ ବିଳମ୍ବରେ କରୋନା ପ୍ରବେଶ କରିଥିଲା। କିନ୍ତୁ ସଂକ୍ରମଣ ହାର ଓ ମାମଲାରେ ଅନ୍ୟ ୨ ଜିଲ୍ଲା ବାଲେଶ୍ୱର ଓ ଭଦ୍ରକକୁ ଟପିଯାଇଛି ଏ ଆଦିବାସୀ ଅଧ୍ୟୂଷିତ ଜିଲ୍ଲା। ଜିଲ୍ଲାର ସବୁ ବ୍ଲକରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟରେ ବି ସଂକ୍ରମଣ ସଂଖ୍ୟା ଅନ୍ୟ ସବୁ ମାସ ତୁଳନାରେ ସର୍ବାଧିକ ରହିଥିଲା। ତେବେ ସେପ୍ଟେମ୍ବର ଆରମ୍ଭରୁ କରୋନା ରୋଗୀଙ୍କ ସଂଖ୍ୟା ତୀବ୍ରଗତିରେ ବଢୁଛି। ସେପ୍ଟେମ୍ବର ୧ ତାରିଖ ଦିନ ୨୧୫ ରୋଗୀ ଚିହ୍ନଟ ହୋଇଥିଲେ। ୨ ତାରିଖରେ ୧୩୭, ୩ ତାରିଖରେ ରେକର୍ଡ ସଂଖ୍ୟକ ୩୬୫ ଓ ୪ ତାରିଖରେ ୧୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪୨୯୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୧୧ ଜଣ ସୁସ୍ଥ ହୋଇଛନ୍ତି। ୧୮୭୪ ରୋଗୀ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ କରୋନାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3ଜଣ ଭିନ୍ନ କାରଣରୁ ପ୍ରାଣ ହରାଇଥିଲେ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।

Comment