ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ଗାୟିକା କନିକା କପୁର ଲକ୍ଷ୍ନୌରେ ଦେଇଥିବା ଏକ ପାର୍ଟିକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳିଯାଇଛି। ବିଶେଷକରି ରାଜନେତା ଓ ସାଂସଦମାନେ ଏଥିରେ  ଆତଙ୍କିତ ହୋଇ ପଡିଛନ୍ତି। କୋଭିଡ-୧୯ରେ କନିକା ଆକ୍ରାନ୍ତ ଥିବା ଜଣା ପଡ଼ିଲା ପରେ ପ୍ରକୃତ ଚିତ୍ର ଏବେ ସାମ୍ନାକୁ ଆସିଛି। ସେ ଦେଇଥିବା ପାର୍ଟିକୁ ବିଜେପି ନେତା ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ପୁଅ ସାଂସଦ ଦୁଷ୍ମନ୍ତ ବି ଯାଇଥିଲେ।

ଏହି ପାର୍ଟିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ପରେ ଅନ୍ୟ ବହୁ ଜାଗାକୁ ବି ଯାଇଛନ୍ତି। ଇତିମଧ୍ୟରେ ବସୁନ୍ଧରା ନିଜକୁ ଆଇସୋଲେସନରେ ରଖିଛନ୍ତି। ତାଙ୍କ ପୁଅ ଦୁଷ୍ମନ୍ତ ଯିଏ ସେହି ପାର୍ଟିରେ ଉପସ୍ଥିତ ଥିଲେ ସେ ସଂସଦକୁ ଆସିଥିଲେ। ତାଙ୍କ ପାଖରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରେନ ବସିଥିବାରୁ ସେ ବି ନିଜକୁ ଅଲଗା କରିଛନ୍ତି।

ଅନ୍ୟ ଜଣେ ସାଂସଦ ଅନୁପ୍ରିୟା ପଟେଲ ଓବ୍ରେନଙ୍କ ନିକଟରେ ବସିଥିବାରୁ ସେ ବି ଆଇସୋଲେସନରେ ଅଛନ୍ତି। ସାବଧାନୀ ପାଇଁ ଏହି ନେତାମାନେ ନିଜ ତରଫରୁ ଆଇସୋଲେସନରେ ରହିଛନ୍ତି।

କୁହାଯାଉଛି କନିକା ମାର୍ଚ୍ଚ ୧୫ରେ ଲକ୍ଷ୍ନୌରେ ଏକ ବଡ଼ ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟିକୁ ବହୁଜନ ସମାଜ ପାର୍ଟି ନେତା ଆକବର ଅହମ୍ମଦ ଡମ୍ପି ଆୟୋଜନ କରିଥିଲେ। ଏହାର ଦିନକ ପରେ କନିକା ନିଜ ଘରେ ବି ଗୋଟିଏ ପାର୍ଟି ଦେଇଥିଲେ। ତାଛଡ଼ା ହୋଟେଲ ତାଜ୍‌ରେ ବି ଆଉ ଏକ ପାର୍ଟିର ଆୟୋଜନ ହୋଇଥିଲା। ଲଗାତାର ତିନି ଦିନ ଧରି ଚାଲିଥିବା କନିକାଙ୍କ ଏହି ସବୁ ପାର୍ଟିରେ ବହୁ ବଡ଼ ବଡ଼ ହସ୍ତୀ ସାମିଲ ହୋଇଥିଲେ। ଏଥିରେ ଯୋଗୀ ଅଦିତ୍ୟନାଥ ସରକାରଙ୍କ ବହୁ ମନ୍ତ୍ରୀ ଓ ଅଫିସର ବି ଯୋଗ ଦେଇଥିଲେ।

କନିକା କପୁରଙ୍କ ପାର୍ଟିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କର କରୋନା ପଜିଟିଭ ବାହାରିଥିବା ଜଣାପଡ଼ିଛି। କନିକାଙ୍କ ପୂରା ପରିବାର ଏବେ ନିଜକୁ ଅଲଗା କରିଦେଇଛନ୍ତି। ତେଣେ କନିକାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ଲଣ୍ଡନରୁ ଫେରିବା ବେଳକୁ ଯଦିଓ ତାଙ୍କ ଦେହରେ ଫ୍ଲୁର ଲକ୍ଷଣ ପ୍ରକାଶ ପାଇଥିଲା ତଥାପି ସେ ତାହାକୁ ଖାତିର କରିନଥିଲେ ଓ ସ୍କ୍ରିନିଂ ବିନା ଏୟାରପୋର୍ଟରୁ ବାହାରକୁ ପଳାଇ ଆସିଥିଲେ।

ଏମିତି ବି ଖବର ଆସୁଛି ଯେ, ଯେହେତୁ କନିକାଙ୍କ ଠାରୁ ଗୁଡ଼ାଏ ସାଂସଦ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଆଶଙ୍କା ରହିଛି, ଲୋକସଭାର ବଜେଟ ଅଧିବେଶନକୁ ଆଗୁଆ ବନ୍ଦ କରି ଦିଆଯାଇପାରେ।

୪୧ ବର୍ଷୀୟା କନିକା କାପୁର ଆଇଟମ ଗୀତ ଗାଇ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ରୟ ଫିଲ୍ମର ଗୀତ ‘ଚିଟିଆଁ କଲାଇଆଁ’ ଓ ରାଗିଣୀ ଏମଏମଏସର ,’ବେବି ଡଲ’ ଖୁବ ଧମାକାଦାର ଗୀତ ରହିଆସିଛି।

Comment