ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରେ କରୋନା ପାଇଁ ସଚେତନ ହେଲା ପ୍ରଶାସନ। ଏପ୍ରିଲ ପହିଲା ଯାଏଁ ନବରଙ୍ଗପୁରରେ ସମସ୍ତ ମନ୍ଦିର, ମସଜିଦ ଓ ଚର୍ଚ୍ଚକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦୈନନ୍ଦିନର ସେବା ଓ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିବ। ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ସଚେତନତା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ନବରଙ୍ଗପୁର ପୌର ପରିଷଦ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏହି ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବରଙ୍ଗପୁର ଏବଂ ନବରଙ୍ଗପୁର ନିକଟସ୍ଥ ସମସ୍ଥ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ, ଚର୍ଚ୍ଚର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଆଜିଠାରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ। ହେଲେ ଦୈନନ୍ଦିନର ସେବା ଓ ନୀତି କାନ୍ତି ସ୍ୱାଭାବିକ ଭାବେ ଚାଲିବ। କେବଳ ସେବାୟତମାନେ ହିଁ ଯାଇପାରିବେ। ଭକ୍ତ , ଜନସାଧାରଣ ଏବଂ ସେବାୟତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କରୋନା ଭୂତଣୁର ଭୟାବହତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର।

ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଅଧିକ ସତର୍କ ହୋଇପଡ଼ିଛନ୍ତି। ସେହିପରି ନବରଙ୍ଗପୁରରେ ମଧ୍ୟ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଜନସମାବେଶକୁ ବାରଣ କରାଯାଇଥିବା ବେଳେ ସଭାସମିତି, ଜନଗହଳି, ଭୋଜି ଭାତ, କର୍ମଶାଳା ଆଦିକୁ ବନ୍ଦ ରଖିବାକୁ କୁହାଯାଇଛି।

ଏହାସହ ରାଜ୍ୟ ବାହାରୁ କିମ୍ବା ଦେଶ ବାହାରୁ ଯଦି କେହି ଆସିଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ଯଦି କାଶ, ଛିଙ୍କ ବାରମ୍ବାର ହେଉଛି ତାହା ହେଲେ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ମନା କରିବା ସହ ଡାକ୍ତରଙ୍କ ପରାମର୍ଶ ନେବାପାଇଁ କୁହନ୍ତୁ ଏବଂ ନିଜେ କାଶିଲା ବେଳେ କି ଛିଙ୍କିଲା ବେଳେ ମୁହଁରେ ରୁମାଲ କିମ୍ବା କହୁଣୀ ଦେଇ ଛିକନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ଏହି ବୈଠକରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ନବରଙ୍ଗପୁର ଏସପି ନିତିନ କୁସଲକର, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ଉପଜିଲ୍ଲାପାଳ ଭାସ୍କର ରାଇତା, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ବିନୟ କୁମାର ପଟେଲ, ଆରଆଇ ଜୟଦେବ ପ୍ରଧାନୀଙ୍କ ସମେତ ସମସ୍ତ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।

Comment