ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଅର୍ଥବ୍ୟବସ୍ଥା ଲଗାତାର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହା ସାଙ୍ଗକୁ କରୋନା ଭୂତାଣୁ ସଂକ୍ରମଣ ଫଳରେ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତି ଯୋଗୁଁ ପୁନଶ୍ଚ ଅର୍ଥନୀତିକୁ ବହୁତ ବଡ଼ ଝଟକା ଲାଗିବାକୁ ଯାଉଛି। କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ସାରା ଦେଶବାସୀଙ୍କୁ ରବିବାର ଦିନ ନିଜ ଘରେ ରହିବା ଲାଗି ପରାମର୍ଶ ଦେଇଛନ୍ତି।

ମୋଦୀ ଜାରି କରିଥିବା “ଜନତା କର୍ଫ୍ୟୁ” ଯୋଗୁଁ ଘରୋଇ କମ୍ପାନିମାନେ ନିଜ କର୍ମଚାରୀମାନଙ୍କୁ “ୱାର୍କ ଫ୍ରମ୍ ହୋମ୍” ବା ନିଜ ନିଜର ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ଓ ଏହାର ବ୍ୟାପକତାକୁ ହ୍ରାସ କରିବା ଉଦ୍ଦେଶ୍ୟ ରଖି ଲୋକମାନଙ୍କୁ ‘ସାମାଜିକ ଦୂରତା’ ରକ୍ଷାକରିବା ଲାଗି ଦିଆ ଯାଇଥିବା ପରାମର୍ଶ ନିଶ୍ଚିନ୍ତ ଭାବେ ସ୍ୱାଗତଯୋଗ୍ୟ।

ହେଲେ ଏହାର ପ୍ରଭାବ ଅଧିକ ମାତ୍ରାରେ ସେବା କ୍ଷେତ୍ରରେ ପଡ଼ିବ। କାରଣ ଭାରତୀୟ ଅର୍ଥବ୍ୟବସ୍ଥାର ପାଖାପାଖି ୫୫ ପ୍ରତିଶତ ଜିଡିପି ସେବା କ୍ଷେତ୍ରରୁ ହିଁ ମିଳିଥାଏ। ଯଦି ଏଭଳି ଚାଲେ ତେବେ ଏହାର କୁପ୍ରଭାବ ଦେଶର ଉତ୍ପାଦନଶୀଳତା ତଥା ବଜାର ଉପରେ ମଧ୍ୟ ପଡ଼ିବ। ବେକାରୀ ସମସ୍ୟା ଉଗ୍ର ରୂପ ନେବାର ଆଶଙ୍କା କରାଯାଉଛି।

ନିକଟରେ ଇକୋନୋମିକ ଟାଇମ୍ସରେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଡି କେ ଯୋଶୀଙ୍କର ଏକ ମନ୍ତବ୍ୟ ପ୍ରକାଶ ପାଇଥି୍ଲା। ଏଥିରେ ସେ କହିଥିଲେ ଯେ, ସାମାଜିକ ଦୂରତାର କୁପ୍ରଭାବ ବିମାନ କମ୍ପାନି, ହୋଟେଲ୍, ମଲ୍, ରେସ୍ତୋରାଁ ଓ ମଲ୍ଟିପ୍ଲେକ୍ସ ଆଦି ଉପରେ ପଡ଼ିବ। ଏଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୨୦ମାର୍ଚ୍ଚରେ ଏକ ବଡ଼ ଘୋଷଣା କରିଛନ୍ତି। କରୋନା ଭୂତାଣୁ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଶିଳ୍ପ ଉଦ୍ୟୋଗ ତଥା କମ୍ପାନିମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଘୋଷଣା ମଧ୍ୟ ହୋଇଛି।

କରୋନାର କୁ ପ୍ରଭାବ ବହୁଳ ମାତ୍ରାରେ ନିର୍ମାଣକାରୀ କମ୍ପାନିଗୁଡ଼ିକ ଉପରେ ମଧ୍ୟ ପଡ଼ୁଛି। କାରଣ ଏହି ସବୁ କମ୍ପାନିରେ କାମ କରୁଥିବାକର୍ମଚାରୀମାନଙ୍କ କ୍ଷେତ୍ରରେ “ୱାର୍କ ଫ୍ରମ୍ ହୋମ୍” ସମ୍ଭବପର ନୁହେଁ। ତା’ସହିତ ବ୍ୟାଙ୍କ୍ ତଥା ଆଇଟି କମ୍ପାନିଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଅଫିସ୍ ଆସିବା ନିହାତି ଜରୁରୀ।

ତେଣୁ ଏହିସବୁ ପରିସ୍ଥିତିକୁ ନଜର ପକାଇଲେ ଦେଶର ଅର୍ଥନୀତି ଉପରେ କରୋନାର ପ୍ରଭାବ କେତେ ଯେ ଭୟାବହ ତାହା ଅନୁମାନ କରାଯାଇପାରେ। ଜିଡିପିର ଏକ ବୃହତ ଭାଗ ଲୋକମାନଙ୍କର ଚାହିଦା ଉପରେ ନିର୍ଭର କରୁଥିବା ବେଳେ ’ସାମାଜିକ ଦୂରତ୍ୱ’ ଦେଶର ଅଭିବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Comment