ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରି ରାୟଗଡ଼ାରେ ପୁଣି ଜଣେ ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତିଙ୍କ ନାଁ ଭିନାପାଲି ଶ୍ରୀନିବାସ ରାଓ। ତାଙ୍କ ଘର ଶେଷଖାଲ ଥାନା ଅନ୍ତର୍ଗତ ପାତାମହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି। ବ୍ୟକ୍ତି ଜଣକ ରାୟଗଡ଼ାର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।

ଶିକ୍ଷକ ଶ୍ରୀନିବାସ ରାଓ ଜେକେପୁର ଅଞ୍ଚଳରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ମିଥ୍ୟା ଗୁଜବ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ। ଏହି ଅଭିଯୋଗରେ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଥିବା ଏସପି ଡକ୍ଟର ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ପୂର୍ବରୁ ଗତ ୧୩ ତାରିଖ ଦିନ ଏଭଳି କରୋନା ଗୁଜବ ପ୍ରଚାର କରି ଅମ୍ବାଦଳାର ସତ୍ୟନାରାୟଣ ସାମଲ ନାମକ ଜଣେ ଯୁବକ ଗିରଫ ହୋଇଥିଲେ। ରାୟଗଡ଼ା ଜିଲ୍ଲାରେ ଏଭଳି ମିଥ୍ୟା ଖବର ପ୍ରଚାର ନ କରିବା ପାଇଁ ବାରମ୍ବାର ସଚେତନ କରା ଯାଉଥିଲେ ମଧ୍ୟ କିଛି ବ୍ୟକ୍ତି ଏହାର ଖିଲାପ କରି ଆଇନ ଅନୁଯାୟୀ ଦଣ୍ଡିତ ହେଉଛନ୍ତି।

Comment