ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ଵ। ଏନେଇ ସାରା ଓଡ଼ିଶାରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ, ଦେଶର କରୋନା ପ୍ରଭାବିତ ରାଜ୍ୟମାନଙ୍କରୁ କେନ୍ଦ୍ରାପଡ଼ା ଫେରିଥିବା ଯୁବକମାନେ କିନ୍ତୁ ଏହାକୁ ଉଲ୍ଲଘଂନ କରିଛନ୍ତି। ନିଜ ଘର ଆଇସୋଲେସନରେ ନରହି ଖଟି କରିବାକୁ ଆରମ୍ଭ କରିଛନ୍ତି। ଏମାନଙ୍କଠାରେ କରୋନା ଭୂତାଣୁ  ଥିବା ସନ୍ଦେହରେ ଲୋକେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଲେ। ପରେ ପୋଲିସ ଗାଁରେ ପହଞ୍ଚି ଯୁବକମାନଙ୍କୁ ସେଠାରୁ ଉଦ୍ଧାର କରିଛି।

କେନ୍ଦ୍ରାପଡା ଜିଲ୍ଲାର ସହର ତଳି ଗାଁମାନଙ୍କରେ ଏବେ ବାହାର ରାଜ୍ୟରୁ ଫେରନ୍ତା ଯୁବକଙ୍କ ଭିଡ। କରୋନା ବ୍ୟାପିବା ଭୟରେ ଏମାନେ ଭାରତର ବିଭିନ୍ନ ଅଞ୍ଚଳରୁ ଗାଁକୁ ଫେରି ଆସିଛନ୍ତି। କରୋନା ମୁକ୍ତ ଏହି ଗାଁମାନଙ୍କରେ ବାହାର ରାଜ୍ୟରୁ ଫେରିଥିବା ଏହି ଯୁବକମାନଙ୍କ ଗତି ବିଧି ସନ୍ଦେହ ହେବାରେ ଲାଗିଥିଲା। ପ୍ରଶାସନ ଏମାନଙ୍କୁ ନିଜଘର ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା ଏମାନେ ମାନି ନଥିଲେ। ଏବେ ଜିଲ୍ଲାରେ ଲକ୍‌ଡାଉନ୍‌ ଚାଲିଥିଲେ ବି ଏମାନେ ଏ ଗାଁରୁ ସେ ଗାଁ ବୁଲି ସାଙ୍ଗ ଦୋସ୍ତିଙ୍କ ଘରେ ବସି ଆଡ୍ଡା ଜମାଇବା ଆରମ୍ଭ କରିଥିଲେ।

ଯେହେତୁ ଏମାନେ କରୋନା ପ୍ରଭାବିତ ରାଜ୍ୟ ଗୁଜୁରାଟ, କେରଳ ଓ ଜାମ୍ମୁକାଶ୍ମୀର ଅଞ୍ଚଳରୁ ଫେରିଛନ୍ତି ତେଣୁ ଲୋକେ କରୋନା ସଂକ୍ରମଣ ଭୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। କେନ୍ଦ୍ରାପଡା ତହସିଲଦାରଙ୍କ ଆଦେଶ ବଳରେ ଆଜି କେନ୍ଦ୍ରାପଡା ସଦରଥାନା ପୋଲିସ ଏସବୁ ଗାଁରେ ପହଞ୍ଚି ଏମାନଙ୍କୁ ଧରିଛି।

ପୋଲିସ ସେମାନଙ୍କୁ ତାଙ୍କ ନିଜ ପଞ୍ଚାୟତର ଅସ୍ଥାୟୀ ଆଇସୋଲେସନ ଗୃହରେ ପହଞ୍ଚାଇଛି। ଏହି ଅଭିଯୋଗରେ ୫ଜଣଙ୍କ ବିରୋଧରେ ମାମଲା ଋଜୁ କରିଛି ପୋଲିସ। ଏହି ଯୁବକମାନେ ବାହାର ରାଜ୍ୟରୁ ଫେରିବା ବେଳେ ନିଜର ରକ୍ତ ନମୁନା ପରୀକ୍ଷା କରିଥିବା ପ୍ରକାଶ କରିଛନ୍ତି। ଯେଉଁଥିରେ ଏମାନେ କରୋନା ମୁକ୍ତ ଥିବା କହିଛନ୍ତି।

Comment