ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଗାଁ କୁ ଗାଁ ନାକାବନ୍ଦୀ ହେବାରେ ଲାଗିଛି। ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକର ଗୁଣୁପୁରପଟଣା ଗାଁକୁ ଲୋକେ ନାକାବନ୍ଦୀ କରିଥିଲା ବେଳେ ଗୁରୁବାର ଡଅଁରମୁଣ୍ଡ ଗାଁକୁ ଗ୍ରାମବାସୀ ନାକାବନ୍ଦୀ କରିଛନ୍ତି। ଏହି ନାକାବନ୍ଦୀ ଏବେ କେନ୍ଦ୍ରାପଡ଼ାର ଗୋଟିଏ ପରେ ଗୋଟିଏ ଗାଁକୁ ଲୋକମାନେ କରୋନା ଭୟରେ ନାକାବନ୍ଦୀ କରୁଛନ୍ତି।

ମାର୍ଶାଘାଇ ବ୍ଲକର ଡଅଁରମୁଣ୍ଡ ଗାଁର ଏକମାତ୍ର ପ୍ରବେଶ ପଥକୁ ବାଉଁଶ ବାନ୍ଧି ଓ କାଠଗଡ଼ ପକାଇ ସିଲ୍ କରାଯାଇଛି। ବାହାର ଗାଁ ଲୋକମାନଙ୍କୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ନିଜ ଗାଁ ଲୋକ ବାହାରକୁ ଗଲେ, ଗାଁକୁ ଫେରିବା ବେଳେ ଲାଗିଛି କଟକଣା। ଗାଁ ମୁଣ୍ଡରେ ଲଗାଯାଇଥିବା ଅବରୋଧ ଫାଟକ ନିକଟରେ ହ୍ୟାଣ୍ଡ ଓ୍ଵାସ୍ ଆଉ ପାଣି ରଖାଯାଇଛି। ଗାଁ ବାହାରକୁ କୌଣସି ଅତ୍ୟାବଶ୍ୟକ ଦ୍ରବ୍ୟ ଆଣିବାକୁ ଯାଇ ଫେରିବା ବେଳେ ହାତ ହ୍ୟାଣ୍ଡ ଓ୍ଵାସରେ ଧୋଇ ଗାଁ ଭିତରେ ପ୍ରବେଶ କରିବା ବ୍ୟବସ୍ଥା ହୋଇଛି।

ଏହାର ପ୍ରଭାବ ବର୍ତ୍ତମାନ ସାରା ଜିଲ୍ଲାରେ ପଡ଼ିଛି। ଗାଁର ଯୁବକମାନେ ଆଜି ସେମାନଙ୍କ ଗାଁକୁ ଲକଡାଉନ କରି ରାସ୍ତାରେ ବାଡ଼ବାନ୍ଧି ଦେଇଛନ୍ତି। ଗାଁ ରୁ ବାହାର ଓ ବାହାରୁ ଗାଁକୁ ପ୍ରବେଶ ସିଲ୍ କରିଦିଆଯାଇଛି। ଗାଁ ଲୋକଙ୍କ ଆବଶ୍ୟକତା ପଡିଲେ, ଦାୟିତ୍ଵରେ ଥିବା ଗାଁ ଯୁବକମାନଙ୍କ ଅନୁମତି ଲୋଡ଼ାଯାଉଛି।

କେନ୍ଦ୍ରାପଡା ଜିଲ୍ଲାକୁ କରୋନା ପ୍ରଭାବିତ ବାହାର ଦେଶ ଓ ରାଜ୍ୟମାନଙ୍କରୁ ଶହ ଶହ ଲୋକେ ଫେରିଥିବାରୁ ଏବେ ନିଜ ଗାଁର ସୁରକ୍ଷା ଚିନ୍ତା ନିଜେ ନେବାକୁ ଅଣ୍ଟା ଭିଡିଲେଣି ଗାଁ ଲୋକେ। ଫଳରେ କରୋନା ସଚେତନତା ଓ ସାମାଜିକ ଦୂରତାର ରକ୍ଷା କରିବା ଉପରେ ଅନେକ ଗାଁ ଗୁରୁତ୍ୱ ଦେଲେଣି। ଏବେ ଅନେକ ଗାଁରେ ଏହାର ବ୍ୟତିକ୍ରମ ଅନୁଭବ ହୋଇଛି। ସହର ବଜାରରେ ପୋଲିସ କଟକଣା ଥିବାରୁ କେତେକ ଗାଁମାନଙ୍କରେ ସାମାଜିକ ଦୂରତା ରକ୍ଷା କରାନଯାଇ ତାସ୍ ଖେଳରେ ମାତିଛନ୍ତି ଲୋକେ।

Comment