ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏଥିପାଇଁ ୯୪୬୫ଟି ଶଯ୍ୟା ପ୍ରସ୍ତୁତି କରି ରଖାଯାଇଛି ବୋଲି ସୂଚନା ଦିଆଯାଇଛି।

ଜିଲ୍ଲାର ୧୦ଟି ଆବାସିକ ବିଦ୍ୟାଳୟକୁ ଖାଲି କରି ସେଥିରେ ପାଠପଢୁଥିବା ୧୦୭୭ ଜଣ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଏଥିସହିତ ଜିଲ୍ଲାର ୨୪୯ଟି ଗ୍ରାମ ପଞ୍ଚାୟତରେ ୨୭୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ସେଠାରେ ୮୪୭୫ଟି ବେଡ୍ ବ୍ୟବସ୍ଥା ହୋଇଛି। ଯେଉଁଠାରେ ଲୋକମନେ କ୍ୱାରେଣ୍ଟାଇନରେ ରହିପାରିବେ ବୋଲି କୁହାଯାଇଛି।ଏଥିସହ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ସହରରେ ୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪୦ଟି ବେଡ୍ ପ୍ରସ୍ତୁତ କରି ରଖାଯାଇଛି।  କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୩ ଶହଟି ବେଡ୍ ଓ କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ୧୫୦ଟି ବେଡ୍ କରୋନା ପାଇଁ ପ୍ରସ୍ତୁତ କରାଯାଇଛି। ଏହାବାଦ୍ ଡେରାବିଶ ସରକାରୀ ପଲିଟେକନିକ୍ କଲେଜରେ ୨୬୦ଟି ବେଡ୍ ରହିଛି ଓ ପଟ୍ଟାମୁଣ୍ଡାଇ ଓବିସି ଛାତ୍ରାବାସରେ ୧୫୦ ବେଡକୁ ରଖାଯାଇଛି। ଏହିପରି ଭାବେ ଜିଲ୍ଲାରେ ମୋଟ୍ ୯୪୬୫ଟି ବେଡ୍ ପ୍ରସ୍ତୁତ ହୋଇ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏଥିସହିତ ଜିଲ୍ଲାର ୧ ଲକ୍ଷ ୮୫ ହଜାର ୯୩୧ ଭତ୍ତାଧାରୀଙ୍କ ମଧ୍ୟରୁ ୧ଲକ୍ଷ ୧୫ ହଜାର ୪୬୬ ଜଣଙ୍କୁ ୪ ମାସର ଆଗୁଆ ଭତ୍ତା ଦିଆଯାଇଛି। ଏଥିପାଇଁ  ମୋଟ୍ ୨୩ କୋଟି ୮୯ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଇଛି। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୧ ହଜାର ୧୬୪ ପରିବାରଙ୍କୁ ମୋଟ୍ ୧୭ ହଜାର ୧୪୩ କ୍ୱିଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି ବୋଲି କୁହାଯାଇଛି।

ବିଦେଶରେ ରହୁଥିବା ୫୫୩ ଜଣ କିଛି ଦିନ ମଧ୍ୟରେ କେନ୍ଦ୍ରାପଡ଼ାକୁ ପେରିଛନ୍ତି। ଏହାଛଡା ଭାରତର ବିଭିନ୍ନ ରାଜ୍ୟରେ ରହି କାମକରୁଥିବା, ପାଠପଢୁଥିବା ୭୮୯୭ ଜଣ ଲୋକ ମଧ୍ୟ ସେମାନଙ୍କ ଘରକୁ ଫେରିଛନ୍ତି। ସେମାନଙ୍କୁ ନିଜ ଘରେ କ୍ୱାରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆସିଥିବା ୨ କୋଟି ଟଙ୍କା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି । ଆଜି ଜିଲ୍ଲାର ଲୋକମାନଙ୍କ ପାଇଁ ପ୍ରଶାସନ ମାଇଗ୍ରେସନ ହେଲଥ୍ ସେଣ୍ଟରରେ ଏକ ମୋବାଇଲ ନମ୍ବର ଜାରିକରିଛି। ଯାହାର ନମ୍ବର ରହିଛି ୮୭୬୩୩୪୯୪୩୮। ଏଥିସହ କରୋନା ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Comment