ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସେବା ଭବନ କନଭେନସନ୍‌ ହଲ୍‌ରେ ଚାଲିଛି ବିଧାନସଭା ଅଧିବେଶନ। ଏହି ଅଧିବେଶନରେ ଆଜି ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ହେବାର ଅଛି। ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହକୁ ବାଚସ୍ପତି କିଛି ସମୟ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ବିଧାନସଭାର କିଛି କର୍ମଚାରୀ ଓଡ଼ିଶାର ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଆସିବା ପରେ ବିଧାନସଭା ଡିସ୍‌ପେନସାରୀ ଔଷଧ ପାଇଁ ଯାଇଥିଲେ। ଏହି ସମୟରେ କିଛି କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା। ଫଳରେ ବିଧାନସଭା କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି।

ଆଜି ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ହେବାର ଥିଲା। ହେଲେ ବିଧାନସଭା କର୍ମଚାରୀ କ୍ୱାରେଣ୍ଟାଇନରେ ରହିଥିବାରୁ ଅଧିବେଶନ ବିଧାନସଭାରେ ହେବାକୁ ବାଚସ୍ପତି ବାରଣ କରିଥିଲେ। ଲୋକସେବା ଭବନର କନଭେନସନ୍‌ ହଲରେ ଅଧିବେଶନ ଚାଲିଛି।

ଏହି ଅଧିବେଶନକୁ ୩୦ ପ୍ରତିଶତ ବିଧାୟକ ଆସିବାକୁ ବାଚସ୍ପତି ସବୁ ଦଳର ନେତାଙ୍କୁ ଅନୁରୋଧ କରିଥିଲେ। ଏହାସହ ଅଧିବେଶନରେ ବିଧାୟକମାନେ ଦୂରତା ରକ୍ଷା କରିଛନ୍ତି। ୨ ମିଟର ବ୍ୟବଧାନରେ ବିଧାୟକମାନେ ବସିଛନ୍ତି।

ଲୋକସେବା କନଭେନସନ୍‌ ହଲ୍‌କୁ ଗତକାଲି ଶୋଧନ କରାଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହାକୁ ଶୋଧନ କରିଥିଲେ।

Comment