ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରୁ ବଞ୍ଚିବା ପାଇଁ ଏବେ ବିଭିନ୍ନ ଦେଶରେ ରୋବଟ୍‌ମାନଙ୍କ ଉପରେ ନିର୍ଭର ଆରମ୍ଭ ହେଲାଣି।

ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ମଣିଷର ଜୀବନ ଧାରଣ ପଦ୍ଧତି ଉପରେ ବି ପ୍ରଭାବ ପକାଇବା ଆରମ୍ଭ କରିଛି। ଘାତକ କରୋନାରୁ ବଞ୍ଚିବା ପାଇଁ ଏବେ ବିଭିନ୍ନ ଦେଶରେ ରୋବଟ୍‌ମାନଙ୍କ ଉପରେ ନିର୍ଭର ଆରମ୍ଭ ହେଲାଣି। ମଣିଷ ଭଳି କାମ କରୁଥିବା ଏହି ଯନ୍ତ୍ର ମାନବମାନଙ୍କୁ ହସ୍ପିଟାଲଗୁଡିକରେ ଭୂତାଣୁ ମୁକ୍ତ କରିବା, ରୋଗୀମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ଓ ଔଷଧ ଯୋଗାଇବା ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଛି। କୋଭିଡ -୧୯ରୁ ମୁକ୍ତି ପାଇବା ପାଇଁ ଭାରତରେ ମଧ୍ୟ ରୋବଟର ବ୍ୟବହାର ଖୁବ ଶୀଘ୍ର ଆରମ୍ଭ ହୋଇପାରେ।

ରୋବଟର ଗୋଟିଏ ବଡ଼ ସୁବିଧା ହେଉଛି ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଆଉ ରୋଗୀଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ କି ସଂକ୍ରମଣର ଆଶଙ୍କା ବି ରହିବ ନାହିଁ। କରୋନା ସଂକ୍ରମିତ ରୋଗୀ ଯେଉଁମାନେ ଆଇସୋଲେସନରେ ଅଛନ୍ତି ସେମାନଙ୍କ ପାଖରେ ରୋବଟକୁ ନିଯୁକ୍ତ କରାଯାଉଛି।

କୋଭିଡ -୧୯ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରୋଗୀ ଓ ସଂକ୍ରମିତ ଲୋକଙ୍କଠାରୁ ଦୂରେଇ ରହିବା ପାଇଁ କୁହାଯିବା ପରେ ନିକଟରେ ଉହାନଠାରେ ଥିବା ଏକ ହେଲ୍‌ଥ ସେଣ୍ଟରରେ ୧୪ଟି ରୋବଟ୍‌କୁ କାମରେ ଲଗାଯାଇଛି। ବେଜିଂର ଏକ କମ୍ପାନି କ୍ଲାଉଟମାଇଁଡ୍ସ ଦ୍ୱାରା ଏହି ରୋବଟକୁ ବିପୁଳ ପରିମାଣର ତିଆରି ଆରମ୍ଭ ହୋଇଛି। ହସ୍ପିଟାଲକୁ ସଫା ସୁତୁରା ରଖିବା, ଭୂତାଣୁ ମୁକ୍ତ କରିବା, ରୋଗୀଙ୍କ ପାଖରେ ସବୁ ଜିନିଷ ପହଞ୍ଚାଇବା ଓ ଏପରିକି ସେମାନଙ୍କର ତାପମାତ୍ରା ମାପିବା କାମ ବି ରୋବଟ କରିପାରିବ ବୋଲି ଜଣାପଡିଛି। ଦକ୍ଷିଣ ଆଫ୍ରିକାର ଜୋହନସବର୍ଗର ଏକ ହସ୍ପିଟାଲରେ ମଧ୍ୟ ରୋବଟକୁ କାମରେ ଲଗାଯାଇଛି।

ରାଜସ୍ଥାନ ଜୈପୁରର ସବାଇ ମାନସିଂହ ସରକାରୀ ହସ୍ପିଟାଲରେ ରୋବଟକୁ ନେଇ ପରୀକ୍ଷା ଆରମ୍ଭ ହୋଇଛି। କରୋନା ପ୍ରଭାବିତ ରୋଗୀଙ୍କ ପାଖରେ ବିନା ମଣିଷ ପହଁଚି ସବୁ କଥା କରାଯାଇପାରିବ କି ନାହିଁ ତାହାର ପରୀକ୍ଷା ଏବେ ଚାଲିଛି। କେରଳର ଏକ ଷ୍ଟାର୍ଟ ଅପ୍‌ ଆସିମଭ ରୋବଟିକ୍ସ ପକ୍ଷରୁ ତିନିଟି ଗୋଡ଼ ବିଶିଷ୍ଟ ଏକ ରୋବଟକୁ ବିକଶିତ କରାଯାଇଛି। ଯେଉଁ ରୋଗୀମାନଙ୍କୁ ପୃଥକ ୱାର୍ଡରେ ରଖାଯାଇଛି ସେହି ରୋଗୀମାନଙ୍କ ପାଇଁ ମୁଖ୍ୟତଃ ରୋବଟ ବ୍ୟବହାର ଉପଯୋଗୀ ହେବ ବୋଲି ଆକଳନ କରାଯାଇଛି।

Comment