ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୧୪ ତାରିଖ ପରେ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରାଦୀପ ପୁରୀ। ସେ କହିଛନ୍ତି ଯେ, ଯଦି ଏପ୍ରିଲ ୧୪ ପରେ ବି ଲକଡାଉନ ଜାରି ରହେ ତେବେ କଥା ଅଲଗା।

ଏପ୍ରିଲ ମଧ୍ୟ ଭାଗରେ ଲକଡାଉନ ଶେଷ ହେବ ଏହା ଭାବି ତାଙ୍କ ମନ୍ତ୍ରାଳୟ କାମ କରୁଥିବା କଥା ସେ କହିଛନ୍ତି। ତେବେ ବିମାନ ଚଳାଚଳ କମ୍ପାନିମାନେ କ’ଣ କରିବେ ଓ ଭବିଷ୍ୟତ କାର୍ଯ୍ୟପନ୍ଥା କିଭଳି ନିର୍ଦ୍ଧାରଣ କରିବେ ତାହା ସେମାନଙ୍କ ଦାୟିତ୍ୱ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ତାଙ୍କ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଉ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଆସ୍ତେ ଆସ୍ତେ କିଭଳି ଦେଶରେ ବିମାନ ସେବା ପୁଣି ଆରମ୍ଭ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟ ଉଡାଣ ସମ୍ପର୍କରେ ପୁରୀ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଦେଶ ଓ ନିର୍ଦ୍ଦିଷ୍ଟ ସ୍ଥାନକୁ ବିଚାରକୁ ନେଇ ବିଦେଶ ଯାତ୍ରା ଆରମ୍ଭ ହୋଇପାରିବ। କେଉଁ ଦେଶରୁ ଯାତ୍ରୀ ଆସୁଛନ୍ତି ତାହା ପ୍ରଥମେ ଦେଖାଯିବ ବୋଲି ସେ ସ୍ପଷ୍ଟ ସଂକେତ ଦେଇଛନ୍ତି। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲକଡାଉନ ଥିବାରୁ ତା’ ପରେ ଯାଇ ପୂରା ମାତ୍ରାରେ ବିମାନ ସେବା ଉପଲବ୍ଧ ନେଇ ଚିନ୍ତା କରାଯିବ।

ଯେଉଁ ଭାରତୀୟ ଲୋକେ ଅନ୍ୟ ଦେଶରେ ଅଟକି ରହିଛନ୍ତି ସେମାନଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଲକଡାଉନ ସତ୍ତ୍ୱେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀରୁ ଲୋକଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ସେବା ପାଇଁ ଭାରତ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା।

Comment