ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନ ପାଇଁ ହରିୟାଣାରୁ ଉତ୍ତରପ୍ରଦେଶ ସାଇକେଲରେ ଯାତ୍ରା କରି ଘରେ ପହଞ୍ଚଥିଲେ ଜଣେ ଶ୍ରମିକ।
“ଭୟ ଏବଂ ଭୋକ, କାହାକୁ ସାହାସ ନ ଦିଏ’’? ଏ କଥା କୌଣସି ଦାର୍ଶନିକ ବା ଔପନାସିକଙ୍କର ନୁହେଁ। ବରଂ ଏହା ହେଉଛି ଜଣେ ଉତ୍ତରପ୍ରଦେଶ ବଳରାମପୁରର ଜଣେ ଦିନ ମଜୁରିଆ ରଘୁରାମଙ୍କର। ଲକଡାଉନ ମଧ୍ୟରେ ହରିୟାଣାରୁ ଉତ୍ତରପ୍ରଦେଶ ଯାଏଁ ସାଇକେଲରେ ପତ୍ନୀଙ୍କ ସହ ୭୦୦ କିଲୋମିଟର ଯାତ୍ରା କରି ରଘୁରାମ ସାହାସିକତା ଦେଖାଇଛନ୍ତି।ଯେତେବେଳେ ତାଙ୍କୁ ପଚରାଯାଇଥିଲା ଏତେ ସାହାସ କେଉଁଠୁ ଆସିଲା ସେ ଏଭଳି ଉତ୍ତର ଦେଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ସମୟରେ ରଘୁରାମଙ୍କ ପାଖରେ କେବଳ ୧୨୦ ଟଙ୍କା ଥିଲା। ତଥାପି ସେ ସାଇକେଲରେ ସ୍ତ୍ରୀଙ୍କୁ ବସାଇ ଏତେ ଦୂର ଯାତ୍ରା କରିବାକୁ ସାହସ କରିଥିଲେ।
‘‘କରୋନା ଭୟ ଏବଂ ପେଟର ଭୋକ ମତେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏତେ ଶକ୍ତି ଦେଇଥିଲା। ଆମେ ଯେଉଁ କମ୍ପାନୀରେ କାମ କରୁଥିଲୁ ତାହା କିଛି ଦିନ ପୂର୍ବରୁ ବନ୍ଦ ହୋଇଯାଇଥିଲା। ଯେତେବେଳେ ଆମେ କଣ୍ଟ୍ରାକ୍ଟରକୁ ଡାକିଥିଲୁ, ସେ କହିଥିଲେ ଯେ ଆମେ ଆପଣଙ୍କୁ ସାହାଯ୍ୟ କରିପାରିବୁ ନାହିଁ। ସେପଟେ ଘର ମାଲିକ କହିଲେ ସେଠାରେ ରହିଲେ ଘର ଭଡା ଆଦାୟ କରାଯିବ। କାମ ତ ନଥିଲା ଘର ଭଡ଼ା କେମିତି ଦେଇଥାନ୍ତ। ସେଥିପାଇଁ ବାଧ୍ୟ ହୋଇ ଗାଁକୁ ଆସିଲୁ”, କହିଛନ୍ତି ରଘୁରାମ।
ରଘୁରାମ ପାଞ୍ଚ ମାସ ପୂର୍ବରୁ ହରିୟାଣା ଯାଇଥିଲେ। ସେ କିଛି ଦିନ ପୂର୍ବରୁ ଏକ ଘରୋଇ କମ୍ପାନିରେ କଣ୍ଟ୍ରାକ୍ଟରଙ୍କ ମାଧ୍ୟମରେ ଚାକିରି ପାଇଥିଲେ। ଦରମା ମାସକୁ ନଅ ହଜାର ଟଙ୍କା ଥିଲା। ମାତ୍ର କରୋନା ଭାଇରସ ଯୋଗୁଁ କମ୍ପାନି ବନ୍ଦ ହେବାରୁ ରଘୁରାମଙ୍କୁ କାମ ଛାଡ଼ିବାକୁ ପଡ଼ିଲା। ତା’ ପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ଗାଁକୁ ଆସିବାକୁ ବାହାରିଥିଲେ। ୫ ଦିନ ପରେ ସେ ଗାଁରେ ପହଞ୍ଚିଥିଲେ।
ପାଖରେ କେବଳ ୧୨୦ ଟଙ୍କା ଏବଂ ୭୦୦ କିଲୋମିଟର ଯାତ୍ରା
‘‘ଯେତେବେଳେ ଆମେ ହରିୟାଣାର ରୋହତକରୁ ବାହାରିଲୁ, ପାଖରେ ମାତ୍ର ୧୨୦ ଟଙ୍କା ଥିଲା। ଦୁଇଟି ବ୍ୟାଗରେ କିଛି ଖାଇବା ଜିନିଷ ଓ ପୋଷାକ ନେଇ ବାହାରିଥିଲୁ। ରାସ୍ତାରେ ପୋଲିସକୁ ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ଆମ ଅସହାୟତା ଦେଖି ପୋଲିସ ଆମକୁ ଯିବାକୁ ଦେଇଥିଲା’’, କହିଛନ୍ତି ରଘୁରାମ।
ଏହି ପାଞ୍ଚ ଦିନ ମଧ୍ୟରେ ରଘୁରାମ କ୍ରମାଗତ ଭାବରେ ସାଇକେଲ ଚଳାଉଥିଲେ, ପ୍ରତି ଘଣ୍ଟାରେ କେବଳ ପାଞ୍ଚରୁ ସାତ ମିନିଟ୍ ପର୍ଯ୍ୟନ୍ତ ଅଟକି ବିଶ୍ରାମ ନେଉଥିଲେ । ରାତିରେ ଦୁଇ ଘଣ୍ଟା ବିଶ୍ରାମ ନେଇ ପୁଣି ସାଇକେଲ ଚଲାଇବା ଆରମ୍ଭ କରୁଥିଲେ। ମାର୍ଚ୍ଚ ୩୧ ରେ, ଜିଲ୍ଲା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ରଘୁରାମ ଘରକୁ ଯିବାକୁ ଅନୁମତି ପାଇଥିଲେ।