ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଗୃହ ବନ୍ଦୀ ହୋଇ ରହିଛନ୍ତି। ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି। ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଏହାରି ମଧ୍ୟରେ ଏକ ଭଲ ଖବର ହେଉଛି ଲକ୍‌ଡାଉନ ଯୋଗୁଁ ଦେଶର ପ୍ରମୁଖ ସହରମାନଙ୍କରେ ପଦୂଷଣର ମାତ୍ରା କମିଛି।

ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଏପ୍ରିଲ ୧୪ ତାରିଖ ଯାଏଁ ସାରାଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନ ଯୋଗୁଁ ସମସ୍ତ କାମ ଠପ ହୋଇ ପଡ଼ିଛି। କେବଳ ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିଛି। ଲୋକେ ଗୃହ ବନ୍ଦୀ ହୋଇ ରହିଛନ୍ତି। ଅପେକ୍ଷା କରି ରହିଛନ୍ତି କେବେ ଏହି ଲକ୍‌ଡାଉନ ଅବଧି ଶେଷ ହେବ କେବେ ଲୋକେ ବାହାରକୁ ବାହାରିବେ। ତେବେ ଲକ୍‌ଡାଉନ ଯୋଗୁଁ ଭାରତରେ ପ୍ରଦୂଷଣର ମାତ୍ରାରେ କମିଛି। ୨୦୧୮ ଓ ୨୦୧୯ ମସିହାରେ ଭାରତରେ ପ୍ରଦୂଷଣର ମାତ୍ରା ୩ଶହ ପାର୍ଟିକୁଲେଟ ମାଟରରୁ ଅଧିକ ରହିଥିଲା। ତେବେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଭାରତରେ ପ୍ରଦୂଷଣର ମାତ୍ରା ୨ଶହ ପାର୍ଟିକୁଲେଟ ମାଟରରୁ କମ୍ ରହିଛି।

କେତେ କମିଛି ପ୍ରଦୂଷଣ?

ଭାରତର ସବୁଠାରୁ ଅଧିକ ପ୍ରଦୂଷିତ ସହର ହେଉଛି ରାଜଧାନୀ ଦିଲ୍ଲୀ। ଚଳିତ ବର୍ଷ ଫେବ୍ରୁଆରି ମାସରେ ଦିଲ୍ଲୀରେ ପ୍ରଦୂଷଣ  ମାତ୍ରା ୪୦୪ ପାର୍ଟିକୁଲେଟ ମାଟର ରହିଥିଲା। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। ତେବେ ମାର୍ଚ୍ଚ ମାସରୁ ପ୍ରଦୂଷଣର ମାତ୍ରା ଧିରେ ଧିରେ କମିବା ଆରମ୍ଭ କରିଥିଲା। ଲକ୍‌ଡାଉ ପୂର୍ବରୁ ଦିଲ୍ଲୀରେ ସ୍କୁଲ କଲେଜକୁ ଆଦିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ମାର୍ଚ୍ଚ ୧୫ ତାରିଖ ବେଳକୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ୩୭୪ ପାର୍ଟିକୁଲେଟ୍ ମାଟରକୁ ଖସି ଆସିଥିଲା। ଏହାପରେ ମାର୍ଚ୍ଚ ୨୩ ତାରିଖରୁ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏହି ସମୟରେ ପ୍ରଦୂଷଣ ମାତ୍ରା ୨୧୦ ପାର୍ଟିକୁଲେଟ୍ ମାଟର ରହିଥିଲା। ଦିଲ୍ଲୀ ସମେତ ଦେଶର ଅନ୍ୟ ବଡ଼ ସହର ଯେପରି ଡେରାଡୁନ, ବାଙ୍ଗାଳୁରୁ, ଚେନ୍ନାଇ ଆଦି ସହରରେ ମଧ୍ୟ ପ୍ରଦୂଷଣ ମାତ୍ରା କମିଛି।

ସେହିଭଳି ଗଙ୍ଗା, ଯମୁନା ନଦୀର ପାଣି ନିର୍ମଳ ହେବାକୁ ଲାଗିଛି। ଲକ୍‌ଡାଉନ ଯୋଗୁଁ ବିଭିନ୍ନ କାରଖାନା ବନ୍ଦ ରହିଛି। ଫଳରେ କାରାଖାନାର ଆବର୍ଜନା ନଦୀକୁ ଛଡ଼ା ଯାଉନାହିଁ। କାନପୁର ଓ ବନାରସରେ ଗଙ୍ଗା ପାଣି ସ୍ଵଚ୍ଛ ରହିଛି। ଅନ୍ୟ ଦିନରେ ଏହି ଦୁଇ ନଦୀର ପାଣିରେ ଆବର୍ଜନା ପଡ଼ିବା ସହ ଦୁର୍ଗନ୍ଧ ବାହାରିଥାଏ। ତେବେ ଗଙ୍ଗା ଯମୁନା ଘାଟ ବନ୍ଦ ରହିଥିବାରୁ ଏବେ ଏହି ଦୁଇ ନଦୀ ପାଣି ନିର୍ମଳ ହେବାକୁ ଲାଗିଛି।

ଏନେଇ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ରର କାର୍ଯ୍ୟ କରୁଥିବା ପରିବେଶ ବୈଜ୍ଞାନିକ ଶମ୍ଭାଭୀ ଶୁକ୍ଲା କହିଛନ୍ତି ଯେ, ଦେଶରେ ଗାଡ଼ିମୋଟର ଚଳାଚଳ ଯୋଗୁଁ ୪୦ପ୍ରତିଶତ ପ୍ରଦୂଷଣ ହେଉଛି। କିନ୍ତୁ ଲକ୍‌ଡାଉନ ଯୋଗୁଁ ଦେଶର ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଯାହା ଫଳରେ ପ୍ରଦୂଷଣ କମିଛି।

ପୁଣି ବଢ଼ିପାରେ ପ୍ରଦୂଷଣ

ଲକ୍‌ଡାଉନ ପରେ ପୁଣି ଗାଡ଼ି ମୋଟର ଚଳାଚଳ ଆରମ୍ଭ ହେବ। ଏହାସହ ବିଭିନ୍ନ କାରଖାନା ମଧ୍ୟ ପୁଣି ଆରମ୍ଭ ହେବ। ଫଳରେ ପୁଣି ପ୍ରଦୂଷଣ ବଢ଼ିବାର ଆଶଙ୍କା ରହିଛି। ଏଭଳିସ୍ଥିତିରେ ଲୋକ ସଚେତନା ହେବା ସହ ପବ୍ଲିକ ଟ୍ରାନ୍‌ସପୋର୍ଟ ବ୍ୟବହାର କରିବା ଆବଶ୍ୟକ ରହିଛି।

“ଲକ୍‌ଡାଉନ ଅବଧି ଶେଷ ହେବା ପରେ ପ୍ରଦୂଷଣ ବୃଦ୍ଧି ପାଇବ। ଯଦି ଏହି ସମୟରୁ ଲୋକେ ଓ ସରକାର ଶିକ୍ଷା ନେଇ କିଛି ପଦକ୍ଷେପ ନିଅନ୍ତି ତେବେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇ ପାରିବ।” ଏକ ସାକ୍ଷାତକାରରେ ଏହା କହିଛନ୍ତି ପରିବେଶ ବୈଜ୍ଞାନିକ ଶମ୍ଭାଭୀ ଶୁକ୍ଲା।

ଲକ୍‌ଡାଉନ ଯୋଗୁଁ ଜଳ, ବାୟୁ ଓ ଧ୍ଵନୀ ପ୍ରଦୂଷଣ କମ୍‌ ହୋଇଛି। ପ୍ରଦୂଷଣ ଯୋଗୁଁ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ପ୍ରତିବର୍ଷ ଭାରତରେ ପ୍ରଦୂଷଣ ଯୋଗୁଁ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ। ପ୍ରଦୂଷଣକୁ ରୋକିବା ପାଇଁ ନାନା ପଦକ୍ଷେପ ନିଆଯାଉଛି।

corona awareness

କରୋନା ଭାଇରସଠାରୁ  ରକ୍ଷା ପାଇବା ପାଇଁ ଏକମାତ୍ର ଔଷଧ ହେଉଛି ସାମାଜିକ ଦୂରତା ରକ୍ଷା କରିବା। ଏହାକୁ ଦୃଷ୍ଟିରେ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧାଦେଶରେ ୩୬୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ଜଣ ମୃତ୍ୟୁ ହୋଇଛି।

Comment