ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କରୋନା ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ବଞ୍ଚେଇ ରଖିବାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସହାୟକ ହୋଇଥାଏ। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ତୁଳନାରେ ଯେଉଁବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ସେମାନେ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବେ। ତେବେ ଜାଣନ୍ତୁ, କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଟିପ୍ସ:

୧- ଦିନରେ ଯେତିକି ଥର ପାଣି ପିଉଛ, ସେତିକି ଥର ଅଳ୍ପ ଉଷୁମ ପାଣି ପିଅ।

୨- ପ୍ରତିଦିନ ୩୦ ମିନିଟ୍‌ ଯୋଗ, ପ୍ରାଣାୟାମ କରନ୍ତୁ।

୩- ଖାଦ୍ୟରେ ହଳଦି, ଜୀରା, ଧନିଆ ଓ ରସୁଣ ଭଳି ଖାଦ୍ୟ ସାମିଲ କରନ୍ତୁ। ଅଧିକ ତେଲ ମସଲାରୁ ନିଜକୁ ଦୂରେଇ ରଖନ୍ତୁ।

୪- ପ୍ରତିଦିନ ସକାଳୁ ଗୋଟେ ଚାମଚ ଚ୍ୟେବନପ୍ରାଶ ସେବନ କରନ୍ତୁ। ଡାଇବେଟିସ୍‌ ରୋଗୀ ସୁଗର ଫ୍ରି ଚ୍ୟେବନପ୍ରାଶ ଖାଆନ୍ତୁ।

୫- ଦିନକରେ ଗୋଟେ ବା ଦୁଇଥର ହର୍ବାଲ ଚା’ ପିଅନ୍ତୁ। ଏହି ହର୍ବାଲ ଚା’ ପ୍ରସ୍ତୁତ କରିବା ପାଇଁ ଗୋଟେ କପ୍‌ ପାଣିରେ ତୁଳସୀ ପତ୍ର, ଡାଳଚିନି, ଗୋଲମରିଚ ଗୁଣ୍ଡ, ସୁଣ୍ଠି ଓ କିସ୍‌ମିସ୍‌ ପକାଇ ଫୁଟାଇଦେବେ, ଏହି ଚା’କୁ ପିଇବେ। ସ୍ୱାଦ ପାଇଁ ଏଥିରେ ଗୁଡ଼ ଓ ଲେମ୍ବୁ ରସ ମିଶାଇପାରିବେ।

୬- ପ୍ରତିଦିନ ଗୋଟେ ବା ଦୁଇଥର ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।

୭ – ନାଜାଲ ଏକ୍ସିଲେସନ୍‌ : ରାଶି ତେଲ ବା ନଡ଼ିଆ ତେଲ ବା ଘିଅକୁ ପ୍ରତିଦିନ ସକାଳୁ ନାକର ଦୁଇ ପୁଡ଼ାରେ ଲଗାନ୍ତୁ।

୮- ଅଏଲ ପୁଲିଂ ଥେରାପି: ଏକ ବଡ଼ ଚାମଚ ରାଶି ତେଲ ବା ନଡ଼ିଆ ତେଲକୁ ପାଟିରେ ନିଅନ୍ତୁ। ଏହାକୁ ପିଇବେ ନାହିଁ। ଏହି ତେଲକୁ ପାଟିରେ ୨ରୁ ୩ ସେକେଣ୍ଡ ପାଇଁ କୁଳକୁଜା କରି ଫୋପାଡ଼ି ଦେବେ। ଏହାପରେ ଖାଲି ପାଣିରେ କୁଳକୁଜା କରିଦେବେ। ଦିନକୁ ଥରେ ବା ଦୁଇଥର ଏହାକୁ କରିପାରିବେ।

୯- ଶୁଖିଲା କାଶ ହେଲେ ପୁଦିନ ପତ୍ର ଓ ପାନମଧୁରି ମିଶ୍ରିତ ଗରମ ପାଣିରେ ବାମ୍ପ ନିଅନ୍ତୁ।

୧୦- ଗୁଡ଼ ବା ମହୁ ସହ ଲବଙ୍ଗ ପାଉଡରକୁ ମିଶାଇ ଖାଆନ୍ତୁ। ଏହାକୁ ୨ରୁ ୩ ଥର ଦିନକୁ ଖାଇବା ଦ୍ଵାରା ଶୁଖିଲା କାଶ ଦୂର ହୁଏ। ଯଦି ଶୁଖିଲା କାଶ ଅଧିକ ଦିନ ଧରି ଲାଗି ରହେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Comment