ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅଞ୍ଚଳରେ ମିଳିଥିବା କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୬ ଜଣଙ୍କ ରକ୍ତ ନମୁନା ନେଗେଟିଭ୍। ଏନେଇ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଅଞ୍ଚଳର ଦୁଇଟି ଗାଁକୁ ଆଜି ସକାଳୁ ସଟ୍ ଡାଉନ ମୁକ୍ତ କରାଯାଇଛି। ଏହି ସୂଚନା ଦେଇଛନ୍ତି ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ।

ସେହିପରି ଆଳି ଅଞ୍ଚଳରେ ମିଳିଥିବା କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କର ରକ୍ତ ନମୁନା ନେଗେଟିଭ୍ ଆସି ସାରିଛି। ଏଣୁ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦୁଇ କରୋନା ପଜିଟିଭ୍ ଆକ୍ରାନ୍ତମାନଙ୍କ ଦ୍ଵାରା ଅନ୍ୟ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନଥିବା ସ୍ପଷ୍ଟ ହୋଇଛି।

corona

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଗ୍ରାମର ୩ କିଲୋମିଟର ପରିଧି ମଧ୍ୟରେ ଥିବା ୨ଟି ଗାଁକୁ ୪୮ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରାଯାଇଥିଲା। ଡାକ୍ତରୀ ଟିମ୍‌ ସର୍ଭେ କରି ୧୬ ଜଣଙ୍କ ସ୍ଵାବ୍‌ ଓ ରକ୍ତ ନମୁନା ସଂଗ୍ରହ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ରାଜନଗରର କରୋନା ଆକ୍ରାନ୍ତ ଜଣକ ଲକ୍‌ଡାଉନ୍‌ ସମୟରେ କଲିକତାରୁ ତାଙ୍କ ବାପା ଓ ନିକଟବର୍ତ୍ତୀ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଏକ ଆମ୍ବୁଲାନ୍ସରେ ଫେରିଥିଲେ। ଯୁବତୀଙ୍କ ସ୍ଵାବ ରିପୋର୍ଟ ପଜିଟିଭ୍ ବାହାରିବା ପରେ ତାଙ୍କୁ କଟକର ସିଡିଏ ସେକ୍ଟର-୬ସ୍ଥିତ ଅଶ୍ଵିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comment