ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଲକ୍‌ଡାଉନ୍‌ରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କର କିଭଳି ଦିନ କଟୁଛି ଜାଣିବା ପାଇଁ ‘ଓଡ଼ିଶାଲାଇଭ୍‌’ପକ୍ଷରୁ ଆରମ୍ଭ କରାଯାଇଛି ନୂଆ ଫିଚର – ‘ଲକଡାଉନ୍‌ ଡାଏରୀ। ଜାଣନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନାକରି କ’ଣ କହୁଛନ୍ତି ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ।

‘‘ମଣିଷର ଚାହିଦା ବହୁତ କିନ୍ତୁ ଆବଶ୍ୟକତା କମ୍। ଜୀବନ ବଞ୍ଚିବା ପାଇଁ ଖୁବ୍ ବେଶୀ ଜିନିଷର ଆବଶ୍ୟକତା ନାହିଁ। ଆମେ ଚାହିଦାକୁ ବଢ଼େଇ ନିଜ ଜୀବନକୁ ଜଟିଳ କରିଦେଉଛୁ। ଜୀବନର ଚାହିଦା କମେଇ ଦିଅନ୍ତୁ ଜୀବନ ସରଳ ହେଇଯିବ ଏବଂ ଆପଣ ଆନନ୍ଦରେ ବଞ୍ଚିପାରିବେ’’, ନିଜ ଲକ୍‌ଡାଉନ୍‌ ଅନୁଭୂତି ବାଣ୍ଟି ଏହି ବାର୍ତ୍ତା ଦେଇଛନ୍ତି ମୃଣାଳ ଚାଟାର୍ଜୀ।

ଏବେ ଆସନ୍ତୁ ଜାଣିବା ଲକ୍‌ଡାଉନ୍‌ରେ କେମିତି କଟୁଛି ନିତିଦିନିଆ ରୁଟିନ୍‌?

ମୋର ନିତିଦିନିଆ ରୁଟିନରେ କୌଣସି ବିଶେଷ ପରିବର୍ତ୍ତନ ହୋଇନି। କେବଳ ଅଫିସ ଯିବା ପରିବର୍ତ୍ତେ ମୁଁ ଘରେ ବସି କାମ କରୁଛି। ଯେମିତି ଅଫିସ କାମ କରୁଥିଲି, ଲେଖାଲେଖି କରୁଥିଲି, ପାଠ ପଢ଼ଉଥିଲି ସବୁ ସେମିତି କରୁଛି। ହୁଏତ ଏବେ ଟିକିଏ ବେଶୀ ସମୟ ଧରି କରୁଛି।

ଏଇ ସମୟରେ ଆପଣ କ’ଣ କରୁଛନ୍ତି ଯାହା ବର୍ଷ ବର୍ଷ ଧରି କରିପାରୁ ନଥିଲେ?

ଲକ୍‌ଡାଉନ ସମୟରେ ନିଜ ପାଇଁ କିଛି ସମୟ ତ ମିଳୁଛି। ଏଣୁ ଏ ସମୟରେ କିଛି ଅଧିକ ପଢ଼ାପଢ଼ି ଏବଂ ଲେଖାଲେଖି ହୋଇପାରୁଛି। କିନ୍ତୁ ମୋ ଜୀବନରେ ଖୁବ୍ ବେଶୀ ପରିବର୍ତ୍ତନ ହୋଇନି।

ଲକ୍‌ଡାଉନ ଭିତରେ କିଛି ସ୍ପେଶାଲ୍‌ ପ୍ରୋଜେକ୍ଟ ଚାଲିଛି କି?

ଏ ସମୟରେ ମୋର ଡିଲିଟ୍ ଥେସିସର ଶେଷ ଭାଗଟିକୁ ଲେଖୁଛି। ଆଶା କରୁଛି ଲକ୍‌ଡାଉନ ଉଠିବା ପୂର୍ବରୁ ଏଇଟା ସରିଯିବ। କରୋନା ଭାଇରସକୁ ନେଇ କେତେଗୁଡ଼ିଏ ଛୋଟ ଗଳ୍ପ ଲେଖିଛି। କରୋନା ସମୟରେ ପ୍ରକାଶିତ କାର୍ଟୁନ ଓ ମିମକୁ ନେଇ ବଡ଼ ଆକାଡେମିକ୍ ପେପର ଲେଖିବାର ଯୋଜନା କରୁଛି। ସେମିତି ଏ ସମୟରେ ପ୍ରକାଶିତ ଫଟୋଚିତ୍ରକୁ ନେଇ ମଧ୍ୟ ଗବେଷଣାତ୍ମକ ନିବନ୍ଧ ଲେଖିବାର ଯୋଜନା କରୁଛି। ଗୋଟେ ୱେବ୍ ସିରିଜର ଯୋଜନା ମଧ୍ୟ ଦାନା ବାନ୍ଧୁଛି। ଆଉ ଏପରି ବିପତ୍ତି ସମୟରେ ଗଣମାଧ୍ୟମ କ’ଣ କ’ଣ କରିପାରେ ଏବଂ ଗଣମାଧ୍ୟମ ଉପରେ ଏହାର କି’ ପ୍ରଭାବ ପଡୁଛି, ତାକୁ ନେଇ ବେଶ୍ କେତୋଟି ପ୍ରବନ୍ଧ ଲେଖିଛି। ଏହାରି ଭିତରେ ଜାଲିୟାଁଓ୍ଵାଲାବାଗ୍ ଘଟଣାର ୧୦୧ ବର୍ଷ ପୂର୍ତ୍ତି ଅବସରରେ ଆମେ ଗୋଟେ ମନୋଗ୍ରାଫ୍ ପ୍ରକାଶ କଲୁ। ଇଏ ମଧ୍ୟ ଗୋଟେ ବଡ଼ ପ୍ରୋଜେକ୍ଟ ଥିଲା।

 ଲକ୍‌ଡାଉନ୍‌ ଆପଣଙ୍କୁ ଜୀବନର କିଛି ବଡ଼ ଶିକ୍ଷା ଦେଇଛି କି?

ଲକ୍‌ଡାଉନ ତ ନୁହେଁ, କରୋନା ଭାଇରସର ବ୍ୟାପ୍ତି ଆମକୁ ଦୁଇ ତିନୋଟି ବଡ଼ ଶିକ୍ଷା ଦେଇଛି। ତାହା ହେଉଛି,

୧- ପ୍ରକୃତିକୁ ନଷ୍ଟ କଲେ ପ୍ରକୃତି ତା’ର ପ୍ରତିଶୋଧ ନେବ।

୨- ଅଲୌକିକତା ନୁହେଁ, ବିଜ୍ଞାନ ହିଁ ମଣିଷକୁ ରକ୍ଷା କରିପାରିବ।

୩- ପ୍ରତିଦିନର ଧାଁ ଦୌଡ଼ ବାହାରେ ଗୋଟେ ଜୀବନ ଜିଇଁ ହେବ।

Comment