ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂଆ ଫିଚର – ‘ଲକଡାଉନ୍‌ ଡାଏରି’। ପଢ଼ନ୍ତୁ ନିଜର ଲକ୍‌ଡାଉନ୍ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍‌ ତଥା କଣ୍ଠଶିଳ୍ପୀ ଡକ୍ଟର ଝୁମକି ରଥ।

ନିଜକୁ ତଥା ନିଜ ପରିବାରକୁ କିଭଳି ଭାବେ ସମ୍ଭାଳିବା ଏହି ଲକଡାଉନ୍‌ରେ ମତେ ଶିଖିବାକୁ ମିଳିଛି। ଏହି ଲକ୍‌ଡାଉନ୍‌ ଆମ ଭିତରେ ଥିବା କାମ କରିବାର ଦକ୍ଷତାକୁ ପରୀକ୍ଷା କରିଛି। ରୋଷେଇ କରିବାଠାରୁ ଆରମ୍ଭ କରି ଘର ସଫା କରିବା ପର୍ଯ୍ୟନ୍ତ ବର୍ତ୍ତମାନ ନିଜକୁ କରିବାକୁ ପଡ଼ୁଛି। ଏହି ଲକ୍‌ଡାଉନ୍‌ ନିଜକୁ ତଥା ଆମ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ସୁଯୋଗ ଆଣିଦେଇଛି। ପ୍ରଥମ ଦିନରୁ ଏହା ଟିକିଏ କଷ୍ଟସାଧ୍ୟ ଥିଲା ହେଲେ ଦିନକୁ ଦିନ ଏହାକୁ ମୁଁ ଆହୁରି ଭଲ ଭାବରେ କରିପାରୁଛି।

ସବୁଠୁ ବଡ଼ କଥା ହେଲା, ଏବେ ମୋ ପୁଅ ମଧ୍ୟ ଘରର ଦାୟିତ୍ୱ ନେବାରେ ଲାଗିଛି। ନିଜ ଖାଇବା ନିଜେ ତିଆରି କରୁଛି, ଯାହା ମତେ ଏକ ଆତ୍ମସନ୍ତୁଷ୍ଟି ଦେଇଛି। ମୋ ଝିଅ ମଧ୍ୟ ୱାର୍କ ଫ୍ରମ ହୋମ୍‌ କରିବା ସହିତ ରୋଷେଇ ପ୍ରତି ଅଧିକ ଆଗ୍ରହ ଦେଖାଉଛି।

ଜଣେ ଶିକ୍ଷାବିତ୍, ଜଣେ ଗାୟିକା ତଥା ଜଣେ ମା’ ଭାବେ କିଛି ବର୍ଷ ଧରି ମୁଁ ଅନେକ କାମ ଭିତରେ ବୁଡ଼ି ରହିଥିଲି। ହେଲେ ବର୍ତ୍ତମାନର ଲକ୍‌ଡାଉନ୍ ଘରେ ରହିବା, ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଏକ ସୁଯୋଗ ଆଣିଦେଇଛି। ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ କର୍ମକ୍ଷେତ୍ରରେ ପହଞ୍ଚିବା ଭଳି ତତ୍ପରତା ଏବେ ଆଉ ନାହିଁ। ଏହା ପରିବର୍ତ୍ତନ ଆଣିବା ସହ ନିଜକୁ ଜାଣିବା ପାଇଁ ମଧ୍ୟ ସୁଯୋଗ ଦେଇଛି।

ମୁଁ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା। ସଙ୍ଗୀତର ମୌଳିକ ଶିକ୍ଷାଦାନ ସହିତ ଏବେ ଭଜନ, ଶ୍ଲୋକ, ଗୀତ ଏବଂ ଗଜଲ ଗାଇବା ଏକ ପ୍ରକାରର ଆବଶ୍ୟକତା ହୋଇପଡ଼ିଛି। ମୁଁ ଶିକ୍ଷାକ୍ଷେତ୍ର ଅପେକ୍ଷା ସବୁବେଳ ସଙ୍ଗୀତକୁ ପ୍ରାଧାନ୍ୟ ଦେଇଆସିଛି। ମୁଁ ଶିଖିଥିବା ସବୁ ଶିକ୍ଷାକୁ ବର୍ତ୍ତମାନର ଯୁବପିଢ଼ିଙ୍କ ସହ ମୁଁ ବାଣ୍ଟିବାକୁ ଚାହେଁ। ଜଣେ ମା’ ତଥା ଶିକ୍ଷକ ଭାବେ ମୋର ଭୂମିକା ଯୁବପିଢ଼ିଙ୍କ ଜୀବନ ଗଢ଼ିବା ପାଇଁ ମୋ ଭିତରେ ଆଗ୍ରହ ସୃଷ୍ଟି କରେ।

ଆମେ ଅନ୍ୟମାନଙ୍କ ଭୁଲ ସାବ୍ୟସ୍ତ କରିବାରେ ବେଶ୍‌ ଆଗ୍ରହ ଦେଖାଇଥାଉ। ହେଲ ତାହାକୁ ପ୍ରଥମେ ନିଜେ ପାଳନ ନକରି ଅନ୍ୟ ମୁଣ୍ଡରେ ଅଠା ବୋଳିଥାଉ। ଲାଗୁଛି ଯେମିତି ପ୍ରକୃତି ବିଦ୍ରୋହ କରୁଛି। ବର୍ତ୍ତମାନ ସମୟରେ ଆମକୁ ମିଳିମିଶି ଲଢ଼େଇ କରିବାର ଆବଶ୍ୟତା ରହିଛି। ଏବେ ଟିଭିରେ ଟେଲିକାଷ୍ଟ ହେଉଥିବା ‘ରାମାୟଣ’ ଆମର ନୈତିକତାକୁ ଚିହ୍ନାଇବା ସହିତ ଗୋଟିଏ ସୁତ୍ରରେ ବାନ୍ଧିବା ପାଇଁ ଆହ୍ୱାନ ଦିଏ। ହେଲେ ଆମେ ଏହାକୁ ଗ୍ରହଣ କରିବାକୁ ନାରାଜ।

(ଡକ୍ଟର ଝୁମକି ରଥ ହେଉଛନ୍ତି ଓଡ଼ିଶାର ଜଣେ ଆଗଧାଡ଼ିର ଶାସ୍ତ୍ରୀୟ ସଙ୍ଗୀତଜ୍ଞ ତଥା ମନୋବିଜ୍ଞାନ ଅଧ୍ୟାପିକା। ସେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ।)

Comment