ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ନେଇ ସାରା ବିଶ୍ଵ ଏବେ ଚିନ୍ତାରେ। ଏହି କରୋନା ଏବେ ଗରିବ ଆଦିବାସୀ ପରିବାରକୁ ମଧ୍ୟ ଚିନ୍ତାରେ ପକାଇଛି। ଏଡେ ଏଡେ ବଡ ଲୋକେ କରୋନା ଆଗରେ ଟଳିପଡୁଥିବା ବେଳେ ଏ ଗରିବଙ୍କ ଜୀବନ କିପରି ବା ଜୀଇଁବ? ଏହି କଥା ଏମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ରାପଡା ଏସପି ସାଜିଛନ୍ତି ଏହି ଗରିବଙ୍କର ବନ୍ଧୁ।

କେନ୍ଦ୍ରାପଡା ଜିଲ୍ଲା ସଦରଥାନାର ଚକ୍ରୋଡା ଗ୍ରାମ ପଞ୍ଚାୟତର ବିରିବାଟୀ ଗାଁ। ପଶ୍ଚିମ ଓଡ଼ିଶାରୁ ଏ ଅଞ୍ଚଳକୁ ଦାଦନ ଖଟି ଆସୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଏଠି ସ୍ଥାୟୀ ଭାବେ ରହି ଆସୁଛନ୍ତି। ଭୂମିହୀନ ଏହି ସମ୍ପ୍ରଦାୟର ଲୋକମାନେ ରାତି ପାହିଲେ ମୂଲ ମଜୁରୀ ଲାଗି ଚଳନ୍ତି।

ଏବେ କରୋନାର ଲକ୍‌ଡାଉନ ଏମାନଙ୍କ ଜୀବନ ଜୀବିକା ଉପରେ ଲକ୍‌ ଲଗାଇ ଦେଇଛି। ମୂଲ ଲାଗିଲେ ଚୁଲି ଜଳୁଥିବା ଏହି ଲୋକଙ୍କ ପାଖରେ ଏବେ ପରିବାର ଚିନ୍ତା। ଗୋଟିଏ ପଟେ ଭୋକର ଜ୍ଵାଳା ଆଉ ଅନ୍ୟ ପଟେ କରୋନାର ଭୟ, ଯାହା ଭିତରେ ସନ୍ତୁଳି ହେଉଛନ୍ତି ଏହି ଆଦିବାସୀ ପରିବାରର ଶତାଧିକ ଲୋକେ।

ଏପରି ଏକ ବିପଦ ସମୟରେ ଏମାନଙ୍କ ବନ୍ଧୁ ଭାବରେ ଠିଆ ହୋଇଛନ୍ତି କେନ୍ଦ୍ରାପଡା ଏସପି ନିତିଶେଖର। ଜିଲ୍ଲାର ବରିଷ୍ଠ ପୋଲିସମାନଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ଏମାନଙ୍କ କୁଡ଼ିଆରେ। କରୋନାକୁ ଭୟ ନକରିବାକୁ ସାନ୍ତ୍ଵନା ଦେଇଥିଲେ। ଘରୁ ବାହାରକୁ ବାହାରିବା ବେଳେ ମୁହଁରେ ମାକ୍ସ କିମ୍ବା ଗାମୁଛା ବାନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଗାଁରେ ଚଳପ୍ରଚଳ ବେଳେ ପରସ୍ପ ଠାରୁ ଏକ ମିଟର ଦୂରତାରେ ରହିବାକୁ କହିଥିଲେ।

ଏହାସହ ଦୈନିକ ୧୦ ଥର ନିଜ ହାତକୁ ସାବୁନରେ ଧୋଇବା ସହିତ ଏଣେତେଣେ ଛେପ ନ ପକାଇବାକୁ ପରାମର୍ଶ ଦେଇଛନ୍ତି। ଯଦି କାହାର କାଶ, ଛିଙ୍କ କିମ୍ବା ଜ୍ଵର ରହୁଛି ତେବେ ଗାଁରେ ଥିବା ଆଶା ଦିଦି କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ସହିତ ପରାମର୍ଶ କରିବାକୁ ସଚେତନ କରାଇଛନ୍ତି। ଏଠାରେ ରହୁଥିବା ୫୨ଟି ପରିବାରରେ ବୁଲିବୁଲି ସମସ୍ତଙ୍କୁ ସୁଖିଲା ଖାଦ୍ୟ, ଅଟା, ଚାଉଳ, ସାବୁନ, ସାନିଟାଇଜର ଆଦି ବାଣ୍ଟିଛନ୍ତି ଏସପି ନିତିଶେଖର।

corona

ଏସପିଙ୍କର ଏହି କରୋନା ସଚେତନତା କାର୍ଯ୍ୟରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ଅତିରିକ୍ତ ଏସପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି,  ଡିଏସପି କାର୍ତ୍ତିକ ମଲ୍ଲିକ , ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡା ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ , ସଦର ଆଇଆଇସି ପ୍ରମୋଦ କୁମାର ମଲ୍ଲିକ ଆଦି ବରିଷ୍ଠ ପୋଲିସ ଅଧିକାରୀ ମାନେ।

Comment