ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗ୍ରୁପ୍‌ ‘ଏ’ର ସବୁ ଅଧିକାରୀ ଅଫିସ ଆସିବେ
  • ଗ୍ରୁପ୍‌ ବି, ସି ଓ ଡିର ଏକ ତୃତୀୟାଂଶ କର୍ମଚାରୀ ଆସିବେ
  • ହଷ୍ଟେଲ ଖୋଲା ହେବ ନାହିଁ
  • ଲକ୍‌ଡାଉନ୍‌ ପରେ ପରୀକ୍ଷା ଯେକୌଣସି ସମୟରେ ହୋଇପାରେ
  • ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ ପ୍ରବେଶ ମନା
  • ଥିଓରୀ କିମ୍ବା ପ୍ରାକ୍ଟିକାଲ କ୍ଲାସ ହେବନି
  • ସେମିନାର, ୱାର୍କସପ୍‌ ବନ୍ଦ ରହିବ
  • ଆବଶ୍ୟକ ପଡ଼ିଲେ ଅନଲାଇନରେ ହେବ

ଆଜିଠାରୁ ଲକ୍‌ଡାଉନ୍‌ ନିୟମରେ କିଛି କୋହଳ କରିଛନ୍ତି ରାଜ୍ୟ ସରକାର। ଏହି ନିୟମ ଅନୁଯାୟୀ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଖୋଲା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସବୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ କିଛି ସର୍ତ୍ତାବଳୀ ମଧ୍ୟ ରହିଛି।

ବିଶ୍ୱବିଦ୍ୟାଳୟ ଖୋଲା ରହିଲେ ବି କୌଣସି ଛାତ୍ରଛାତ୍ରୀ ଆସିପାରିବେ ନାହିଁ। ହଷ୍ଟେଲରେ ବି କୌଣସି ପିଲା ରହି ପାରିବେ ନାହିଁ। ଲକ୍‌ଡାଉନ୍‌ କଟକଣା ହଟିବା ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ। ଏଣୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି।

ବିଶ୍ୱବିଦ୍ୟାଳୟରୁ ଗ୍ରୁପ୍‌ ଏ ର ସମସ୍ତ ଅଧିକାରୀ ଆସିବେ। ଗ୍ରୁପ୍‌ ବି, ସି ଏବଂ ଡିର ଏକ ତୃତୀୟାଂଶ କର୍ମଚାରୀ ଆସିବେ। କର୍ମଚାରୀମାନେ ସାମାଜିକ ଦୂରତ୍ୱ ରକ୍ଷା କରିବେ। କୌଣସି କ୍ଲାସ କିନ୍ତୁ ହେବନାହିଁ। ଯଦି ଆବଶ୍ୟକ ପଡ଼େ ତାହାଲେ ଅନଲାଇନ୍‌ କ୍ଲାସ୍‌ ହୋଇପାରେ।

ସେହିପରି ଯେଉଁ ପରୀକ୍ଷା ଶେଷ ହୋଇଛି ତାର ମୂଲ୍ୟାୟନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଥିପାଇଁ ଜୋନାଲ ସ୍ତରୀୟ ଖାତାଦେଖା କେନ୍ଦ୍ର ହୋଇପାରିବ ନାହିଁ। ବିନା ଅନୁମତିରେ କେହି ବିଶ୍ୱବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିବେ ନାହିଁ।

coronaସେହିପରି ବିଶ୍ୱବିଦ୍ୟାଳୟରେ ୱାର୍କସପ୍‌ କିମ୍ବା ସେମିନାର ହୋଇପାରିବ ନାହିଁ। ଯଦି ଆବଶ୍ୟକ ପଡ଼େ ଅନଲାଇନରେ ୱାର୍କସପ୍‌ କିମ୍ବା ସେମିନାର କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସବୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିଥିଲେ। ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଥିଲେ।

Comment