ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାଗଣାରେ ଉଚ୍ଚଶିକ୍ଷା ହାସଲ କରିବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ
  • ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ପାଠପଢ଼ା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର  
  • ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ ଯୋଜନା

ଓଡ଼ିଶାର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଏବେ ମାଗଣାରେ ପାଠ ପଢ଼ିବେ। ରାଜ୍ୟ ସରକାର ସେମାନଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ। ଏନେଇ ଶୁକ୍ରବାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ହେବ। ରାଜ୍ୟ ସରକାର ସେମାନଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାର ବାର୍ଷିକ କୋର୍ସ ଫି, ଟ୍ୟୁସନ ଫି, ବହି ଖର୍ଚ୍ଚ, ହଷ୍ଟେଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ।

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ କରିଥିବା ଉପରୋକ୍ତ ଖର୍ଚ୍ଚର ହିସାବ କରି ନିଜ ଶିକ୍ଷା ଅନୁଷ୍ଠାନରେ ଦାଖଲ କରିବେ। ଏହି ଖର୍ଚ୍ଚ ଭରଣା ପାଇଁ ଅନୁଷ୍ଠାନର କର୍ତ୍ତୃପକ୍ଷ ଏହାକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଜିଲ୍ଲାପାଳଙ୍କ ମଞ୍ଜୁରୀ ପରେ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥ ମଞ୍ଜୁର କରାଯିବ।

ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାର ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

Tags: #HigherEducation #SC/STStudents #Engineering&MedicalStudy #Odisha

Comment