ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜୁନ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ‘ସାମ୍ସ’ ୱେବସାଇଟରେ ଆବେଦନ କରିପାରିବେ। ଜୁଲାଇ ୪ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଏହାପରେ ଜୁଲାଇ ୧୪ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ। ଏନେଇ ସୋମବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁଲାଇ ୧୪ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ବାହାରିବାପରେ ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ୧୯ ତାରିଖ ଯାଏଁ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରି ନାମ ଲେଖାଇବେ। ଏହାପରେ ଜୁଲାଇ ୨୭ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରି ନାମଲେଖା ହେବ। ଏଥିପାଇଁ ଜୁଲାଇ ୨୯ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏଁ ନାମଲେଖା ହେବ।

ସେହିପରି ଅଗଷ୍ଟ ୩ ତାରିଖରେ ତୃତୀୟ ପର୍ଯ୍ୟାୟ, ଅଗଷ୍ଟ ୨୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ, ସେପ୍ଟେମ୍ବର ୧ ତାରିଖରେ ପଞ୍ଚମ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ୧୩ ତାରିଖରେ ଷଷ୍ଠ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ।

୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୧ ହଜାର ୪୨ଟି କଲେଜର ୨ ଲକ୍ଷ ୭୦ ହଜାର ୩୪୭ଟି ସିଟ୍‌ରେ ଯୁକ୍ତ ୩ ନାମଲେଖା ହେବ। ଏଥର କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨ ସିଟ୍, ଫିଜିକାଲ ସାଇନ୍ସରେ ୪୬ ହଜାର ୧୩୯ ସିଟ୍, ବାୟୋଲୋଜିକାଲ ସାଇନ୍ସରେ ୨୮ ହଜାର ୬୯୨ ସିଟ୍, ବାଣିଜ୍ୟର ୩୨ ହଜାର ୩୮୦ ସିଟ୍, ସେଲ୍ଫ ଫାଇନାନ୍ସିଂ କୋର୍ସରେ ୨ ହଜାର ୦୮୬ଟି ସିଟ୍ ଓ ସଂସ୍କୃତରେ ୯ ହଜାର ୧୪୮ ସିଟ୍‌ ରହିଛି।

ଚଳିତବର୍ଷ ଯୁକ୍ତ ୩ ଆବେଦନ ପାଇଁ ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି, ଜନ୍ମ ତାରିଖ ଉଲ୍ଲେଖ ରହିବ। ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଚାଲୁ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଚଳିତବର୍ଷ ଆବେଦନ ସମୟରେ ଯଦି କୌଣସି ପ୍ରକାର ତ୍ରୁଟି ରହେ, ତେବେ ଆବେଦନକାରୀ ତାହାକୁ ସଂଶୋଧନ କରିପାରିବାର ସୁବିଧା ଉପଲବ୍ଧ ହେବ।

Tags: #PlusThreeAdmissions #OnlineApplication #HigherEducation #DHEOdisha

Comment