ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କରୋନା ପରିଚାଳନା କେମିତି ଚାଲିଛି ବୋଲି ଯଦି ଆପଣ କୌଣସି ଉଚ୍ଚ ଅଧିକାରୀଙ୍କୁ ପଚାରିବେ ତାଙ୍କ ଠାରୁ ଏମିତି କିଛି ଏକ ଜବାବ ଆସିବ: ‘ନାଇଁରେ ଭାଇ-ଏବେ କଣ କିଛି ହେଲାଣି?’ ଅର୍ଥାତ ଏ ଲଢେଇ ଆରମ୍ଭ ମାତ୍ର। ଅବଶ୍ୟ ଏହା ସତ ଯେ ଓଡ଼ିଶାର କରୋନା ମୁକାବିଲା କାହାଣୀ ଅଦ୍ୟାବଧି ଅନେକଙ୍କ ପାଇଁ ଏକ ଉଦାହରଣ ହୋଇଯାଇଛି। କେବଳ କେରଳ ହିଁ ଆମ ତୁଳନାରେ ଭଲ କରିଛି।

ତ୍ରିମୁଖୀ ଲଢେଇ

ଯଦି ଓଡ଼ିଶାରେ ଆଜି କରୋନା ସଂକ୍ରମଣ ଓ ମୃତ୍ୟୁ ନିୟନ୍ତ୍ରଣ ଭିତରେ ରହିଛି ତାର ତିନୋଟି କାରଣ ଆଖିରେ ପଡ଼ିବ। ପ୍ରଥମ, ଯେଉଁମାନେ ବିଦେଶରୁ ଫେରିଥିଲେ ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ଭିତରେ ରଖାଯାଇଥିଲା। ଦ୍ଵିତୀୟ, ଅନେକ ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ତୃତୀୟ, ଜନସାଧାରଣଙ୍କ ଯାତାୟତ ଓ ଘରୁ ବାହାରିବା  ଉପରେ ବ୍ୟାପକ କଟକଣା ଜାରି କରାଯାଇଥିଲା।

ଏହି ସବୁ କାରଣରୁ ଅନ୍ୟ ରାଜ୍ୟ ତୁଳନାରେ ଆମେ ସନ୍ତୋଷଜନକ ସ୍ଥିତିରେ ରହିଛୁ। ଏହାର ପ୍ରମାଣ ହେଉଛି କୋଭିଡ-୧୯ ମାମଲା ଦୁଇ ଗୁଣ ହେବାକୁ ଓଡ଼ିଶାକୁ ୩୪.୧୨ ଦିନ ଲାଗିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଏପ୍ରିଲ ୧୮ ସୁଦ୍ଧା କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏବଂ କେରଳ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ମାମଲା ଦୁଇ ଗୁଣ ହେବା ପାଇଁ କେରଳକୁ ୬୭ ଦିନ ଲାଗିଥିବା ବେଳେ ଓଡ଼ିଶାକୁ ୩୪ ଦିନ ଲାଗିଥିଲା।

ପିଠି ଥାପୁଡ଼ା

ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି କେବଳ ନୁହେଁ, ଟପ୍‌ ଦୁଇ ରାଜ୍ୟ ଭିତରେ ଓଡ଼ିଶା ରହିଛି। ତେବେ ଏଠାକାର ବରିଷ୍ଠ ଅଧିକାରୀମାନଙ୍କ କହିବା କଥା ଯେ, କରୋନା ଲଢେଇ ଏତେ ଶୀଘ୍ର ଶେଷ ହେବା ଦେଖାଯାଉନାହିଁ। ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ ଏବଂ ଆଗାମୀ କେଇ ମାସ ପର୍ଯ୍ୟନ୍ତ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏପର୍ଯ୍ୟନ୍ତ ଓଡ଼ିଶାରେ ୮୭ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଜଣେ ଲୋକ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି।

ଛଅ ମାସ ଆଲର୍ଟ

କରୋନା ଏକ ରାଜ୍ୟ ବିପର୍ଯ୍ୟୟ ବୋଲି ଓଡ଼ିଶା ହିଁ ପ୍ରଥମେ ଘୋଷଣା କରିଥିଲା। ତେବେ ଏହା ଏତେ ଜଲଦି ଯିବାର ନାହିଁ ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି।ତାଙ୍କ ମତରେ ଉଭୟ ସରକାର ଓ ଜନସାଧାରଣ ନିତାନ୍ତ ପକ୍ଷେ ୬ ମାସ ଆଲର୍ଟରେ ରହିବା ଦରକାର। ଏଥିରେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ସାମାଜିକ ଦୂରତା ବଜାୟ ରଖିବା ଉଭୟ ସାମିଲ।

coronaଜିରୋ ଟ୍ରାନ୍ସମିସନ

କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାର ବିଗତ ଏକ ମାସ ମଧ୍ୟରେ ବେଶ କିଛି ପଦକ୍ଷେପ ନେଇଛନ୍ତି। ବିଦେଶ ଫେରନ୍ତାଙ୍କ ବାଧ୍ୟତାମୂଳକ ପଞ୍ଜୀକରଣ, ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବା, ହଜାର ହଜାର ଆଇସୋଲେସନ ସେଣ୍ଟର ଖୋଲିବା, ଅନେକ ଜିଲ୍ଲାରେ ଓ ସହରରେ  କୋଭିଡ ହସ୍ପିଟାଲ ଖୋଲିବା ଇତ୍ୟାଦି।

ସରକାରଙ୍କ ଲକ୍ଷ୍ୟ ହେଉଛି ସମଗ୍ର ରାଜ୍ୟରେ ୩୬ଟି ଉତ୍ସର୍ଗୀକୃତ ହସ୍ପିଟାଲ ଖୋଲିବା। ଆହୁରି ମଧ୍ୟ, ଓଡ଼ିଶା ସରକାର କରୋନା ପାଇଁ କଣ୍ଟିନଜେନ୍ସି ପାଣ୍ଠିକୁ ବୃଦ୍ଧି କରିଛନ୍ତି। ୨୦୦ କୋଟିରୁ ୨ ହଜାର କୋଟି ଟଙ୍କା ବ୍ୟବସ୍ଥା କରିବା ପଛରେ ଉଦ୍ଦେଶ୍ୟ ହେଉଛି କରୋନା ମୁକାବିଲା ପାଇଁ ଯେପରିକି ଟଙ୍କାର ଅଭାବ ରହେ ନାହିଁ। ଅଧିକନ୍ତୁ, ଗୁଡ଼ାଏ ୱେବସାଇଟ ଓ ଆପ୍‌ ଖୋଲାଯାଇଛି, ଯାହା ଫଳରେ କି ଲୋକେ ସବୁ ସୂଚନା ପାଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ କହିବା ଅନୁଯାୟୀ ଜିରୋ ଟ୍ରାନ୍ସମିସନ ହେଉଛି ଆମର ମୂଳ ଲକ୍ଷ୍ୟ। ଅର୍ଥାତ କରୋନା କାହାକୁ କାହାଠାରୁ ଡେଇଁବାକୁ ଦିଆଯିବ ନାହିଁ।

ପଞ୍ଚାୟତ ସୁରକ୍ଷା

ଦୁଇ ଦିନ ତଳେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମେ ୩ରେ ଲକଡାଉନ ଉଠିବା ପରେ ବାହାରେ ଯେଉଁ ଶ୍ରମିକମାନେ ଅଟକି ରହିଛନ୍ତି ସେମାନଙ୍କୁ କିଭଳି ନିରାପଦରେ ରଖା ଯାଇପାରିବ। ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯିବା ବ୍ୟତୀତ ସମସ୍ତ ୭ ହଜାର ପଞ୍ଚାୟତରେ ଘର ବାହୁଡା ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନର ବ୍ୟବସ୍ଥା। ସବୁ ୩୦ ଜିଲ୍ଲାରେ କ୍ୟାମ୍ପ ଖୋଲାଯାଇଛି ଓ ପ୍ରତିଟି ସେଣ୍ଟର ରେ ୫୦-୧୦୦ ଜଣ ରହିପାରିବେ। ଖାଲି ସେତିକି ନୁହେଁ, ଟ୍ରେନ ଓ ବସ ପାଖରୁ ସିଧା ପଞ୍ଚାୟତକୁ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ସଫଳତାର ସହ କ୍ୱାରେଣ୍ଟାଇନ ଶେଷ କରିବେ ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଅର୍ଥ ସାହାଯ୍ୟ ସରକାର ଦେବେ।

ଡାକ୍ତର ନିରାପତ୍ତା

ଇତି ମଧ୍ୟରେ ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ତାହା ହେଉଛି ଯେଉଁମାନେ କରୋନା ରୋଗୀଙ୍କୁ ଚିକିତ୍ସା କରିବା ଭିତରେ ଜୀବନ ହରାଇବେ ସେମାନଙ୍କୁ ୫୦ଲକ୍ଷ ଟଙ୍କା ଦିଆଯିବ ଓ ସେମାନଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ। ଏଥି ପୂର୍ବରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ୪ ମାସର ଦରମା ଆଗୁଆ ଦେଇ ଦିଆଯାଇଥିଲା। ଖାଲି ସେତିକି ନୁହେଁ, ଲୋକଙ୍କ କରୋନା ପରୀକ୍ଷାକୁ ମଧ୍ୟ ଜୋରଦାର କରାଯାଇଛି। ଏବେ ଦୈନିକ ୨ ହଜାର ଟେଷ୍ଟ କରାଯାଉଛି, ଯାହାକି ମାସକ ତଳେ ମାତ୍ର ୨୦୦ ଥିଲା।

ଜମାତ ଅସୁବିଧା

ଏପ୍ରିଲ ମାସ ଆରମ୍ଭରେ ଓଡ଼ିଶାରେ ମାତ୍ର ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ୮୭ରେ ପହଞ୍ଚିଛି। ଏହା ବି  ହୋଇନଥାନ୍ତା ଯଦି ତବଲିଗୀ ଜମାତରୁ ଲୋକେ ରୋଗ ନେଇ ଫେରିନଥାନ୍ତେ। ଏବେ ଶୁଣାଯାଉଛି ସରକାରଙ୍କ ଅସତର୍କତା ଯୋଗୁଁ ଗୁଡାଏ ଲୋକ ପଶ୍ଚିମବଙ୍ଗରୁ ଓଡିଶାକୁ ପଶି ଆସିଛନ୍ତି ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏହିଭଳି ଦେଖିବାକୁ ଗଲେ, କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ପାରଦର୍ଶିତା ହାସଲ କରାଯାଇ ପାରିଛି ତାହା ଅନେକ ପରିମାଣରେ ଆମକୁ ସୁରକ୍ଷିତ ରଖିପାରିଛି।

Comment