ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ଯେଉଁ କେତେଗୁଡ଼ିଏ ଉପାୟ ଅଛି ସେଥିମଧ୍ୟରୁ ମୁହଁକୁ ନ ଛୁଇଁବା ଅନ୍ୟତମ। ଅଭ୍ୟାସବଶତଃ ଲୋକମାନେ ମୁହଁକୁ ବାରମ୍ବାର ଛୁଇଁଥାନ୍ତି। ଏହାଯୋଗୁଁ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହିଥାଏ।

ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) ସୂତ୍ରରୁ ଜଣାଯାଇଛି ଯେ କରୋନା ଭୂତାଣୁ ମୁହଁ ଦ୍ୱାରା ଖୁବ୍ ସହଜରେ ସଂକ୍ରମିତ ହୋଇପାରେ। ଯେପରିକି କୌଣସି ବ୍ୟକ୍ତିଙ୍କ ନିକଟରେ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିଲେ ତାହା ସୁସ୍ଥ ଲୋକର ଫୁସଫୁସ ମଧ୍ୟକୁ ସହଜରେ ପ୍ରବେଶ କରିପାରିବ। ଭୂତାଣୁ ସଂକ୍ରମିତ ସ୍ଥାନକୁ ଛୁଇଁବା ପରେ ସେହି ହାତରେ ଆଖି କିମ୍ବା ମୁହଁକୁ ଛୁଇଁଲେ ବି ସଂକ୍ରମଣର ଆଶଙ୍କା ରହିଛି। ତେଣୁ ନିଜର ମୁହଁକୁ ଯଥାସମ୍ଭବ କମ୍ ଛୁଅନ୍ତୁ।stop corona 12

  • ହାତକୁ ନିଜ ମୁହଁଠାରୁ ଦୂରେଇ ରଖିବା ଲାଗି ସଚେତନ ହୁଅନ୍ତୁ। ବାରମ୍ବାର ମୁହଁରେ ହାତ ମାରିବା ଅନୁଚିତ ବୋଲି କାଗଜରେ କିମ୍ବା କୌଣସି ଏକ ବୋର୍ଡରେ ଲେଖି ନିଜ ଘର କିମ୍ବା କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଲଗାଇ ଦିଅନ୍ତୁ।
  • ଘରେ ଯଦି ଟିଭି ଦେଖୁଥାନ୍ତି କିମ୍ବା ମୋବାଇଲରେ କଥା ହେଉଥାନ୍ତି ତା’ହେଲେ ହାତ ପାଖରେ ଟିସ୍ୟୁ ପେପର ରଖନ୍ତୁ। ମୁହଁରେ କୁଣ୍ଡେଇ ହେଲେ ଏହାକୁ ବ୍ୟବହାର କରିପାରିବେ।
  • କେଶମୂଳରେ କିମ୍ବା ମୁହଁରେ କୁଣ୍ଡେଇ ହେଲେ ଶରୀରର କୌଣସି ସ୍ଥାନକୁ ଜୋରରେ ଚିମୁଟି ଦିଅନ୍ତୁ। ଏହାଦ୍ୱାରା କୁଣ୍ଡେଇ ହେବାରୁ ଧ୍ୟାନ ହଟିଯିବ ।
  • ସେହିପରି ହାତରେ କୌଣସି କଡ଼ା ବାସ୍ନାଯୁକ୍ତ ଅତର କିମ୍ବା ସେଣ୍ଟ ଲଗାନ୍ତୁ। ଫଳରେ ମୁହଁ ପାଖକୁ ହାତ ନେବାବେଳେ ବାସ୍ନାରୁ ମୁହଁକୁ ନ ଛୁଇଁବା ଉଚିତ ବୋଲି ମନେ ପଡ଼ିଯିବ।
  • କୌଣସି ମିଟିଂରେ ବସିଥିଲେ ହାତକୁ ମୁହଁଠାରୁ ଯଥେଷ୍ଟ ଦୂରରେ ରଖନ୍ତୁ। ହାତରେ କଲମଟିଏ ଧରି ବସିଲେ ମଧ୍ୟ ଆପଣଙ୍କର ମୁହଁକୁ ଛୁଇଁବା କଥା ମନେ ପଡ଼ିବ ନାହିଁ।
  • ଏକ ଅଧ୍ୟୟନ ଅନୁସାରେ ଜଣେ ଲୋକ ଏକ ଘଣ୍ଟା ମଧ୍ୟରେ ଅଭ୍ୟାସଗତ ଭାବେ ପ୍ରାୟ ୧୬ ଥର ନିଜ ମୁହଁ, ଆଖି ଓ ନାକରେ ହାତ ମାରିଥାନ୍ତି। ଏହା ସେମାନଙ୍କ ଅଜାଣତରେ ଆପେ ଆପେ ହୋଇଯାଏ। ତେଣୁ ହାତରେ ଗ୍ଲୋଭସ ପିନ୍ଧିବାର ଅଭ୍ୟାସ କରନ୍ତୁ। ସର୍ବସାଧାରଣ ସ୍ଥାନରେ ଏହା ଆପଣଙ୍କର ହାତକୁ ସଫା ରଖିବ। ଘରେ ପହଞ୍ଚିବା ପରେ ଗ୍ଲୋଭସକୁ କାଢ଼ି ହାତକୁ ଭଲ ଭାବେ ଧୋଇ ମୁହଁକୁ ଛୁଇଁପାରିବେ। ସେହିପରି ଗ୍ଲୋଭସ ପିନ୍ଧିବା ଦ୍ୱାରା ମଧ୍ୟ ମୁହଁକୁ ବାରମ୍ବାର ଛୁଇଁବାର ଅଭ୍ୟାସ କମିଯିବ।

LEAVE A REPLY

Please enter your comment!
Please enter your name here