ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମେ’ ୧। ବିଶ୍ୱ ଶ୍ରମିକ ଦିବସ। ଜାଣନ୍ତୁ ଏହି ଦିବସ ପଛରେ କ’ଣ ରହିଛି ଇତିହାସ।
ଯଦି କୁହାଯାଏ ଯେ ବିଶ୍ୱ ଚଳାଇବାରେ ମୁଖ୍ୟ ଭୂମିକା ହେଉଛି ଶ୍ରମିକଙ୍କର, ତେବେ ଏହା ଭୁଲ୍ ହେବ ନାହିଁ। ସେହି ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ‘ ୧କୁ ବିଶ୍ୱ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆମ ଦେଶରେ ପ୍ରଥମ ଥର ପାଇଁ ୧୯୨୩ରେ ହିନ୍ଦୁସ୍ତାନ କିଷାନ ପାର୍ଟି ମାଡ୍ରାସରେ ଏହି ଦିବସ ପାଳନ କରିଥିଲା। ଏବେ ପ୍ରାୟ ବିଶ୍ୱର ୮୦ରୁ ଅଧିକ ଦେଶ ଏହି ଦିବସ ପାଳନ କରୁଛନ୍ତି। ତେବେ ଆପଣ ଜାଣନ୍ତି କି କେବେଠୁ ଓ କାହିଁକି ଏହି ଦିବସ ପାଳନ ହେଉଛି?
୧୮୮୬ ରେ ଆମେରିକାର ଚିକାଗୋରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଆରମ୍ଭ ହୋଇଥିଲା। ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସମୟସୀମା ନଥିଲା। ସେଥିପାଇଁ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଦାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ।
୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସ୍ରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଶ୍ରମିକ ଦିବସ ପାଳନ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା।


















