ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲାରେ ସାମିଲ ହୋଇଛି ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା। ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ସଚେତନ ମଧ୍ୟ କରୁଛି

ସାରା ବିଶ୍ଵ ଆଜି କୋରୋନା ଭଳି ଏକ ଭୟଙ୍କର ଭୂତାଣୁ କବଳରେ ରହିଛି। ଏଭଳି ଏକ ଅଭାବନୀୟ ସମୟରେ ରାଜ୍ୟର ଅନେକ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ କିଛି ମାତ୍ରାରେ କମ୍‌ କରିବାକୁ ଅଣ୍ଟା ଭିଡିଛି ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା। ରାଜ୍ୟରେ କରୋନା ଯୋଦ୍ଧାଙ୍କଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି।

ଏପରି ଏକ ମହାମାରୀକୁ ତିଳେ ମାତ୍ର ଭୟ ନକରି ପ୍ରଥମ ଦିନରୁ ହିଁ ସହରବାସୀଙ୍କ ନିକଟରେ ଠିଆ ହେବାକୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ଏହି ସ୍ଵେଚ୍ଛାସେବୀ ସଂଗଠନ। ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ଦିନରାତି ହଜାର ହଜାର ଲୋକଙ୍କ ଚଳପ୍ରଚଳ ରହୁଥିବାରୁ ସେଠାରେ ସଂକ୍ରମଣର ଆଶଙ୍କାକୁ ଅନୁଭବ କରି ଅନେକ ପମ୍ପରେ ପହଞ୍ଚି କର୍ମଚାରୀଙ୍କୁ ମାସ୍କ୍ ଓ ଗ୍ଲୋଭ୍ସ ବାଣ୍ଟିବା ସହିତ ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି।

ସାମ୍ବାଦିକ ବନ୍ଧୁମାନେ ଏହି ପରିସ୍ଥିତିରେ ମଧ୍ୟ ବାହାରକୁ ବାହାରି ଆମକୁ ରୋଗ ସମ୍ବନ୍ଧୀୟ ଜରୁରୀ ଖବର ଦେଉଥିବାରୁ, କିଛି ମିଡିଆ ହାଉସ୍‌ରେ ପହଞ୍ଚି ସମସ୍ତ କର୍ମଚାରୀଙ୍କୁ ସତର୍କତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେବା ସହ ଏହି ଦୁଃସାହସିକ କାର୍ଯ୍ୟରେ ନିୟୋଜିତ ଥିବାରୁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି “ଆଶାୟେଁ” ସଂଗଠନର ମିଳିତ ଆନକୂଲ୍ୟରେ ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଦିନ ମଜୁରିଆ ଲୋକଙ୍କ ଛୋଟ ଛୁଆମାନଙ୍କ ନିକଟରେ ଶୁଖିଲା ଖାଦ୍ୟ(ବିସ୍କୁଟ) ପହଞ୍ଚାଇଥିଲେ। ଏଭଳି ସମୟରେ ନିଜ ପରିବାର ବନ୍ଧୁଜନଙ୍କଠାରୁ ଦୂରରେ ରହି ଦିନରାତି ଆମକୁ ସୁରକ୍ଷା ଦେଉଥିବା ପୋଲିସ ଓ ଟ୍ରାଫିକ ଭାଇମାନଙ୍କୁ ପାଣି, ଫଳରସ ଆଦି ଯୋଗାଇ ସେମାନଙ୍କ ଶୋଷ ମେଣ୍ଟାଇବା ସହ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମକୁ ଖୁବ୍ ପ୍ରୋତ୍ସାହିତ କରିଥିଲେ।

ସହରରେ ଅନେକ ବରିଷ୍ଠ ନାଗରିକ ଏକା ରହୁଥିବା ବେଳେ “ସୁରକ୍ଷା” ନାମକ କାର୍ଯ୍ୟକ୍ରମ ଦ୍ଵାରା ସେମାନଙ୍କ ଘରେ ନେଇ ଆବଶ୍ୟକୀୟ ଔଷଧ ସାମଗ୍ରୀ ପହଞ୍ଚାଇବାରେ ସଫଳ ମଧ୍ୟ ହୋଇଥିଲେ। ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ିନଥିଲା। ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦିନମଜୁରିଆ, ଦାଦନ ଶ୍ରମିକ, କିନ୍ନର ଓ ରାସନ୍ କାର୍ଡ ସୁବିଧାରୁ ବଞ୍ଚିତ ପ୍ରାୟ ୧ହଜାର ପରିବାର ନିକଟରେ ଚାଉଳ, ଡାଲି, ଚିନି, ଚୁଡ଼ା, ବିସ୍କୁଟ ଓ ସାବୁନ୍ ଭଳି ଅତ୍ୟନ୍ତ ଜରୁରୀ ସାମଗ୍ରୀ ପହଞ୍ଚାଇଥିଲେ।

ଏନେଇ ଜୟ ଓଡିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ କହିଛନ୍ତି, “ଜୟ ଓଡ଼ିଶା ସବୁବେଳେ ଲୋକଙ୍କ ଅସୁବିଧା ସୁବିଧା ସମୟରେ ସାଙ୍ଗରେ ରହି ଆସିଛି। ଏବେ ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ରହି ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ତ ପରିବାରର ଦାୟିତ୍ଵଭାର ନେବୁ। ଅନେକ ରୋଗୀ ଉପଯୁକ୍ତ ସମୟରେ ରକ୍ତ ପାଇବାରେ ଅସମର୍ଥ ହେଇଥିବାରୁ, କିଛିଦିନ ମଧ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି।”

Comment