ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ ଅକସ୍ମାତ ୭୮ଟି ନୂଆ କେସ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କ ନିଦ ହଜେଇ ଦେଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୋଟ ପଜିଟିଭ୍‌ ସଂଖ୍ୟା ୨୮୭ରେ ପହଞ୍ଚିଥିଲା। ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ କମ ଥିଲା ଓ ଏହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଥିଲା। କିନ୍ତୁ ମେ ୬ ଓ ୭ ଦୁଇ ଦିନ ମଧ୍ୟରେ ୧୦୭ଟି ନୂଆ ମାମଲା ଆସିବା ପରେ ଏହା ପୂରା ଗଣିତକୁ ବିଗାଡ଼ି ଦେଇଛି। କ’ଣ ହୋଇପାରେ ଏହାର କାରଣ?

ଏହା ନିଃସନ୍ଦେହ ଯେ, ଗୁଜରାଟର ସୁରତରୁ ଶ୍ରମିକମାନଙ୍କ ଆସିବା ଫଳରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଛି। ଏହି ନୂଆ ମାମଲା ଭିତରେ ଅଧିକାଂଶ ଗଞ୍ଜାମ ଜିଲ୍ଲାରେ। ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ମଧ୍ୟ କରୋନା ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛନ୍ତି।

ବାସ୍ତବ କ୍ଷେତ୍ରରେ ରାଜ୍ୟର ମୋଟ କରୋନା ମାମଲା ଭିତରୁ ୮୦ ପ୍ରତିଶତରୁ ଅଧିକ ରୋଗୀ ଏହି ୬ ଜିଲ୍ଲାରେ ହିଁ ଅଛନ୍ତି। ଅନ୍ୟ ଜିଲ୍ଲାରେ ମାମଲା ନଗଣ୍ୟ। ଗତ କିଛି ଦିନ ଧରି ଉପରୋକ୍ତ ୬ ଜିଲ୍ଲାକୁ ହିଁ ସର୍ବାଧିକ ସଂଖ୍ୟକ ଲୋକ ବାହାର ରାଜ୍ୟରୁ ଆସିଥିବା କାରଣରୁ ଏହି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ହଟସ୍ପଟ ହୋଇ ବାହାରିଛନ୍ତି।

ଓଡ଼ିଶା ସରକାରଙ୍କ ଅନୁମାନ ହେଉଛି ଆଗାମୀ ଦିନରେ ପ୍ରାୟ ୫ ଲକ୍ଷ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରୁ ଫେରିବେ। ଯଦି ପ୍ରକୃତରେ ତାହା ହୁଏ, ଓଡ଼ିଶାରେ ବହୁ ସକାରାତ୍ମକ କେସ ସାମ୍ନାକୁ ଆସିବ। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଯଦି ଆଗାମୀ ଦିନରେ ଓଡ଼ିଶା ଦିଲ୍ଲୀ ଭଳି ବ୍ୟାପକ ପରିମାଣରେ ଆକ୍ରାନ୍ତ ହେବ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।ଏଥିଲାଗି ଯାହା ପ୍ରତିକାର ମୂଳକ ପଦକ୍ଷେପ ଆମକୁ ନେବାକୁ ହେବ ତାହା ନିଶ୍ଚିତ ଭାବରେ ପାଳନ କରିବାକୁ ପଡ଼ିବ।

Comment