ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକ ଓଡ଼ିଆ କବିତାର ଜନ୍ମଦାତା ସଚ୍ଚିଦାନନ୍ଦ ରାଉତରାୟ ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ,  ପ୍ରଭାବଶାଳୀ ପ୍ରାବନ୍ଧିକ, ଓ ସମାଲୋଚକ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିର ସ୍ମରଣୀୟ।

‘‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି’’, ସଚ୍ଚିଦାନନ୍ଦ ରାଉତରାୟଙ୍କ ଏହି ଆବେଗପୂର୍ଣ୍ଣ କବିତା ସମସ୍ତଙ୍କ ପାଇଁ ଅଭୁଲା ହୋଇ ରହିଛି। ଗାଁ ମାଟିକୁ ପ୍ରାଣଭରି ଭଲ ପାଉଥିବା ମଣିଷଟିଏ ଥିଲେ ସଚ୍ଚି ରାଉତରାୟ। ଆଧୁନିକ ଓଡ଼ିଆ ସାହିତ୍ୟରେ ନବଦିଗନ୍ତର ବରେଣ୍ୟ କବି ଭାବେ ସେ ଥିଲେ ପରିଚିତ। ଆଜି ସେହି ଯୁଗସ୍ରଷ୍ଟା ମହାନ କବିଙ୍କର ଜନ୍ମ ବାର୍ଷିକୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

୧୯୧୬ ମସିହା, ମାର୍ଚ୍ଚ ୧୩ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗାଁରେ ଜନ୍ମ ହୋଇଥିଲେ ସେ । ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନର ସେ ଅନ୍ୟତମ ପ୍ରବକ୍ତା। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ କରି ଓଡ଼ିଆ ସାହିତ୍ୟରେ ସେ ଆଣିଥିଲେ ପରିବର୍ତ୍ତନ।

‘‘କବି ସଚ୍ଚିଦାନନ୍ଦ ରାଉତରାୟ ଆଧୁନିକ ଓଡ଼ିଆ କବିତାର ଜନ୍ମଦାତା। ସମଗ୍ର ବିଶ୍ୱରେ କାବ୍ୟ ଜଗତରେ ଯେଉଁ ନୂତନ ପରିବର୍ତ୍ତନ ଆସିଥିଲା, ସେହି ନୂତନ ପ୍ରୟୋଗଗୁଡ଼ିକୁ ସେ ଅତି ଚମତ୍କାର ଭାବେ ନିଜ କବିତାରେ ସଂଯୋଗ କରିଥିଲେ। ସେ ହାସ୍ୟ ରସାତ୍ମକ କବିତା ‘ହସନ୍ତ’, ଗାଁ ମାଟିର କବିତା ‘ଅଭିଯାନ’, ସହର ଓ ଗ୍ରାମ୍ୟ ଜୀବନ ଭିତରେ ଦ୍ୱନ୍ଦ୍ୱ ‘ଭାନୁମତୀର ଦେଶ’ ରଚନା କରିଥିଲେ। ପରେ ପରେ ସେ ପାଣ୍ଡୁଲିପି ରଚନା କଲା ବେଳେ ପ୍ରଗତି ଲେଖକ ସମିତି ଗଢ଼ିଥିଲେ। ସାହିତ୍ୟ ଓ ଓଡ଼ିଆ କବିତାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ। ସେଥିପାଇଁ ତାଙ୍କୁ ଯୁଗ ସ୍ରଷ୍ଟା କବି କହିଲେ ଭୁଲ ହେବ ନାହିଁ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

 

୧୯୬୨ରେ ପଦ୍ମଶ୍ରୀ, ୧୯୬୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ରେ ଜ୍ଞାନପୀଠ ପୁରସ୍କାର, ୧୯୬୫ରେ ସୋଭିଏତ ଦେଶ ନେହେରୁ ପୁରସ୍କାର, ୧୯୯୬ରେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋ ଆଦି ସମ୍ମାନରେ ସମ୍ମାନିତ ହୋଇଥିଲେ ସଚ୍ଚି ରାଉତରାୟ।

‘‘ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ କର୍ଣ୍ଣଧାର ଥିଲେ ସଚ୍ଚି ରାଉତରାୟ। ସେ ଜଣେ ମହାନ କବି ଥିଲେ। ଆଧୁନିକ କବିତାକୁ ସେ ନୂଆ ରୂପ ଦେଇଥିଲେ। ତାଙ୍କ ଲେଖା ‘ଛୋଟ ମୋର ଗାଁ ଟି’ରେ ସେ ଗ୍ରାମ୍ୟ ଜୀବନକୁ ବେଶ ପ୍ରତିଫଳିତ କରିଥିଲେ। ଏବେ ବି ତାଙ୍କର ସେହି କବିତା ସମସ୍ତଙ୍କ ମୁହଁରେ ଗୁଞ୍ଜରିତ ହେଉଛି। ଓଡ଼ିଆ ଭାଷା, ସଂସ୍କୃତି, ଓଡ଼ିଆ ଜୀବନକୁ ସେ ତାଙ୍କ କାବ୍ୟରେ ରୂପ ଦେଇଥିଲେ। ସେଥିପାଇଁ ତାଙ୍କୁ ଅଜସ୍ର ପୁରସ୍କାର ଓ ସମ୍ମାନ ମିଳିଥିଲା। ସଚ୍ଚି ରାଉତରାୟ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

‘‘ସଚ୍ଚି ରାଉତରାୟ ମାଟିର କବି, ମଣିଷର କବି, ଆକାଶର କବି। ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ଯେଉଁ ସବୁ କବିତା ରଚନା କରିଛନ୍ତି, ଓଡ଼ିଆ ସାହିତ୍ୟରେ ବୋଧ ହୁଏ ଆଉ କେହି ସେମତି ରଚନା କରିନାହାନ୍ତି। ସେ ଅଜସ୍ର ରଚନା ଓଡ଼ିଆ ସାହିତ୍ୟ ଜଗତକୁ ଉପହାର ଦେଇଛନ୍ତି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସଚ୍ଚି ରାଉତରାୟ ସଦା ଆୟୁଷ୍ମାନ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

‘‘ଆଧୁନିକ ଓଡ଼ିଆ କବିମାନଙ୍କର କବି ପଦ୍ମଶ୍ରୀ ଡକ୍ଟର ସଚ୍ଚଦାନନ୍ଦ ରାଉତରାୟ କେବଳ ଜଣେ କବି ନୁହଁନ୍ତି, ସେ ଜଣେ କଥାକାର ମଧ୍ୟ। ଜଣେ ସଫଳ ଗଦ୍ୟ ସାହିତ୍ୟିକ ଭାବେ ସେ ପରିଚିତ। ମଣିଷର ଲୁହ ଭିତରେ ସେ ଦେଖନ୍ତି ନନ୍ଦନବନର ପାରିଜାତ। ଚିତା ଭସ୍ମରେ ବି ସେ ଦେଖି ପାରନ୍ତି ମଣିଷ ହୃଦୟର ଆବେଦନ। ସେଥିପାଇଁ ସେ କବି ସଚ୍ଚିଦାନନ୍ଦ ରାଉତ ରାୟ’’, କହିଛନ୍ତି ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର।

ଛାତ୍ର ଜୀବନରୁ ଭାରତର ସ୍ୱାଧୀନତା ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଚାଷୀ ଆନ୍ଦୋଳେନରେ ଅଂଶ ଗ୍ରହଣ କରିଥିଲେ ସେ। ତାଙ୍କ ରଚିତ ରକ୍ତଶିଖା, ଉଠ ଜାଗ ଭୋକି ବନ୍ଦୀରେ ଏହି ଆନ୍ଦୋଳନର ପ୍ରତିଛବି ଦେଖାଯାଏ। ସଚ୍ଚି ରାଉତରାୟଙ୍କ ବିଶିଷ୍ଟ ରଚନା ମଧ୍ୟରେ ରହିଛି, ପାଥେୟ, ପୂର୍ଣ୍ଣିମା, ପଲ୍ଲୀଶ୍ରୀ, ଅଭିଯାନ, ବାଜି ରାଉତ, ପାଣ୍ଡୁଲିପି, କବିତା।

(ମହାନ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜନ୍ମବାର୍ଷକୀରେ ଓଡ଼ିଶାଲାଇଭ୍ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।)

Comment