ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମ୍ପନ ଝଡ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଜଣେ ରାଜନଗର ବ୍ଲକ ବଗପାଟିଆ ଗାଁର ୭୦ ବର୍ଷିୟା ବୃଦ୍ଧା କୋଇଲି ବେହେରା ଓ ଅନ୍ୟ ଜଣେ ବତୀଘର ପଞ୍ଚାୟତର ବିକାଶ ମଣ୍ଡଳଙ୍କ ପତ୍ନୀ ଜମୁନା ମଣ୍ଡଳ। ଏହି ଦୁଇ ମହିଳାଙ୍କ ମୃତ୍ୟୁ ବାତ୍ୟାରେ ହୋଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ହେଲେ ଜମୁନା ମଣ୍ଡଳଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି।

ରାଜନଗର ବ୍ଲକର କୋଇଲି ବେହେରା ରୋଗରେ ପୀଡ଼ିତ ଥିଲେ। ବାତ୍ୟା ବେଳେ ସେ ଗାଁରେ ତାଙ୍କ ପୁଅଙ୍କ ଚାଳଘରେ ରହୁଥିଲେ। ବାତ୍ୟା ଆସିବା ଯୋଗୁଁ ତାଙ୍କୁ ସେହି ଗାଁରେ ଥିବା ଆଉ ଜଣେ ପୁଅ ଅଜୟ ବେହେରାଙ୍କ କୋଠାଘରକୁ ନେବା ବେଳେ ସେ ପଡ଼ି ଆହତ ହୋଇଥିଲେ। ଘରକୁ ଯାଇ ଭଲରେ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ସୁତ୍ରରୁ ଜଣାପଡିଛି।

ଏହି ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ବଗପାଟିଆ ଗାଁରେ ପହଞ୍ଚି ବୃଦ୍ଧାଙ୍କର ମୃତ୍ୟୁ ସମ୍ପର୍କରେ ତଦନ୍ତ କରିଛନ୍ତି। ବୃଦ୍ଧା ଜଣକ ଏକ କୋଠାଘରେ ରହୁଥିଲେ। ସେ ଆଗରୁ ରୋଗରେ ପିଡ଼ୀତ ଥିଲେ। ଗତକାଲି ରାତିରେ ତାଙ୍କର ସ୍ଵାଭାବିକ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

ଏହାଛଡା ମହାକାଳପଡ଼ା ବତୀଘର ପଞ୍ଚାୟତର ବିକାଶ ମଣ୍ଡଳଙ୍କ ପତ୍ନୀ ଜମୁନା ମଣ୍ଡଳଙ୍କ ମୃତଦେହ ଏକ ପାଣି ଜୋରରୁ ମିଳିଛି। ବୁଧବାର ସକାଳୁ ଝଡ ବର୍ଷା ସମୟରେ ଜମୁନା ନିଜ ଘରୁ ନିଖୋଜ ହୋଇଥିଲେ। ସେ ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିନଥିଲେ ବୋଲି ଘରଲୋକେ କହିଥିଲେ।

ବୁଧବାର ଅପରାହ୍‌ଣରେରେ ତାଙ୍କର ମୃତଦେହ ଭାସୁଥିବାର ମିଳିଥିଲା। ଜମୁନାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଏନେଇ ଜମୁନାଙ୍କ ବାପଘର ଲୋକେ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଏହି ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି। ଏହାସହ ଅମ୍ପନରେ ଜିଲ୍ଲାରେ କାହାରୀ ପ୍ରାଣହାନୀ ହୋଇନଥିବା ଜିଲ୍ଲାପାଳ କହିଛନ୍ତି।

Comment