ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ପଛକୁ ଚାହିଁ ଦେଖନ୍ତୁ। ୨୦୨୦ରେ ଓଡ଼ିଶାରେ ଘଟିଥିବା ଘଟଣାବଳୀକୁ ପୁଣିଥରେ ମନେ ପକାନ୍ତୁ ଓଡ଼ିଶାଲାଇଭ୍‌ର ଏହି ରିପୋର୍ଟରେ…

ଇତିହାସକୁ ଚାଲି ଯାଉଥିବା ୨୦୨୦ ବର୍ଷଟି ଓଡ଼ିଶା ପାଇଁ ଅତ୍ୟନ୍ତ ଘଟଣାବହୁଳ ଥିଲା। ସମଗ୍ର ବିଶ୍ୱରେ କରୋନା ମହାମାରୀ ଯେଉଁ ବିଭୀଷିକା ସୃଷ୍ଟି କରିଥିଲା ଓଡ଼ିଶା ବି ସେଥିରୁ ବାଦ ପଡିନଥିଲା। ଏହା ସାଙ୍ଗକୁ ବାତ୍ୟା, ବନ୍ୟା ମିଶି ଉପକୂଳ ଓଡ଼ିଶାରେ ବିରାଟ କ୍ଷତି ସାଧନ କରିଥିଲେ।

କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସରକାର ଖୁବ ପ୍ରଶଂସାର ପାତ୍ର ହୋଇଥିଲେ। ତତକ୍ଷଣାତ ଓ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବା ଫଳରେ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଥିଲା। ମାତ୍ର ୧୮୫୦ଟି କରୋନା ମୃତ୍ୟୁ ନିଶ୍ଚିତ ଭାବରେ ଏକ ଉଲ୍ଲେଖନୀୟ ରେକର୍ଡ଼।

କରୋନା ମହାମାରୀ ଆସିବା ପରେ ପରେ ନବୀନ ମାର୍ଚ୍ଚ ମାସରେ ସର୍ବସାଧାରଣ ସ୍ଥାନଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ଲକଡ଼ାଉନ ଘୋଷଣା ପୂର୍ବରୁ ଓଡ଼ିଶାରେ ଲକଡାଉନ ଘୋଷିତ ହୋଇଥିଲା ଯଦିଓ ସେତେବେଳକୁ ଜଣେ ବି ସଂକ୍ରମିତ ନଥିଲେ।

ପ୍ରଭାବଶାଳୀ ପ୍ରଶାସନିକ ପଦକ୍ଷେପ, ବଳିଷ୍ଠ ସ୍ୱାସ୍ଥ୍ୟ ଭିତ୍ତିଭୂମି,ସମୂହ ପରୀକ୍ଷା, ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ଠିକ ଭାବେ ଥଇଥାନ କରିବା,କ୍ୱାରାନଟାଇନ,ମିଶନ ଶକ୍ତି ଗୋଷ୍ଠୀ ଗୁଡ଼ିକୁ କରୋନା ପରିଚାଳନାରେ ନିୟୋଜନ – ଏ ସବୁ ନବୀନ ସରକାରଙ୍କ ସଫଳତା ଭିତରୁ ଗୋଟିଏ ଗୋଟିଏ।

ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ମାମଲା ଆସିବା ପରେ ବିଭିନ୍ନ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଗଲା। ସଚେତନତା ସୃଷ୍ଟି , ହାତଧୁଆ ଓ ସାନିଟାଇଜେସନ ଉପରେ ବିଭିନ୍ନ ସ୍ତରରେ ଗୁରୁତ୍ୱ ଦିଆଯାଇଥିଲା। ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଇଥିଲା।

ସବୁଠାରୁ ବଡ଼ ସଫଳତା ହେଉଛି ଖୁବ କମ ସମୟ ମଧ୍ୟରେ  ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା। ଏ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ଆନ୍ତଃ ବିଭାଗ ଟାସ୍କଫୋର୍ସ ଗଠନ ଓ ସମନ୍ୱୟ ଯୋଗୁଁ କରୋନାକୁ ଢ଼େର ପରିମାଣରେ କାବୁ କରା ଯାଇଥିଲା। ପଚାଶଟି କୋଭିଡ ହସ୍ପିଟାଲ,୭୫୦୦ଟି ବେଡ୍‌ ,୧୮ ହଜାର ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲିବା ପାଇଁ ପଦକ୍ଷେପ ନିଆ ଯାଇଥିଲା।

ଅନ୍ୟ ନିଷ୍ପତ୍ତି ଭିତରେ ସରକାରଙ୍କ ପକ୍ଷରୁ  ୧୭ ହଜାର କୋଟି ଟଙ୍କାର କରୋନା ପ୍ୟାଜେକ ଘୋଷଣା କରାଯାଇଥିଲା। ଚାଷୀ,ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର ଲୋକେ  ଯେଉଁମାନେ ଲକଡାଉନ ଯୋଗୁଁ ବେରୋଜଗାର ହୋଇପଡିଥିଲେ ସେମାନଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା ଏକ ସମୟ ଉପଯୋଗୀ ପଦକ୍ଷେପ  ଥିଲା। ଏସବୁ ପଦକ୍ଷେପ ଫଳରେ ଓଡ଼ିଶାରେ ସୁସ୍ଥ ଲୋକଙ୍କ ସଂଖ୍ୟା ୯୮ .୫ ପ୍ରତିଶତ ହୋଇପାରିଥିଲା। ଏହା ସମଗ୍ର ଦେଶରେ ସର୍ବାଧିକ।

ଓଡ଼ିଶାରେ ବାତ୍ୟା, ବନ୍ୟା ବିଭୀଷିକା

କରୋନା ମହାମାରୀ ଆସିବାର ଅଳ୍ପ କେତେ ମାସ ପରେ ମହାବାତ୍ୟା ଅମ୍ଫନ ଯୋଗୁଁ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯଦିଓ ଏହି ବାତ୍ୟା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ମୟୁରଭଞ୍ଜ ପ୍ରଭୃତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ବାତ୍ୟା ପୂର୍ବରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା କ୍ଷେତ୍ରରେ ନବୀନ ସରକାର ସଫଳ ହୋଇଥିଲେ।

ପ୍ରକୃତିର ତାଣ୍ଡବ ସେତିକିରେ ଅଟକିନଥିଲା। ଘନ ଘନ ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ବନ୍ୟା ଆସିଥିଲା। ଅଧିକାଂଶ ବଡ଼ ବଡ଼ ନଦୀରେ ବନ୍ୟା ଆସିବା ଫଳରେ କଟକ ପୁରୀ କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପ୍ରଭାବିତ ହୋଇଥିଲେ।

ରାଜନୀତିରେ ବାଦ ବିବାଦ

କରୋନା ବର୍ଷ ୨୦୨୦ରେ ଓଡ଼ିଶାରେ ବିବାଦ ବି ଆଦୌ ପଛରେ ପଡିନଥିଲା। ବିରୋଧୀ କଂଗ୍ରେସ ଓ ବିଜେପି କରୋନା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗରେ ନବୀନ ସରକାରକୁ ଘେରିଥିଲେ। ପିପିଇ କିଟ କିଣାରେ ଦୁର୍ନୀତି ମଧ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିଲା।

ଏହି ଅଭିଯୋଗ ଆସିବା ପରେ ଓଡ଼ିଶା ଲୋକାୟୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲାରେ ଦୁଇ ଜଣ ବରିଷ୍ଠ ଆଇଏଏସ ଅଫିସର ଇତି ମଧ୍ୟରେ ଚାରି ଥର ହାଜର ହୋଇ ସାରିଲେଣି।

ପରୀ ମାମଲାରେ ଉଠିଲା ପଡ଼ିଲା ରାଜ୍ୟ

ବର୍ଷରେ ରାଜ୍ୟର ସବୁଠାରୁ ବଡ଼ ବିବାଦ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ନାବାଳିକା କନ୍ୟା ପରୀ ହତ୍ୟାକାଣ୍ଡ। ପରୀଙ୍କ ବାପା ମା’ ବିଧାନସଭା ଆଗରେ ଆତ୍ମାହୂତି ଦେବା ଘଟଣା ପରେ ଏହି ବିବାଦ ଘନେଇବାକୁ ଆରମ୍ଭ କଲା। ଏହି ଘଟଣାର ସିବିଆଇ ତଦନ୍ତ ଓ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବିରେ ବିରୋଧୀ ସରକାରଙ୍କୁ ଉଠବସ କରିଥିଲେ। ଓଡ଼ିଶା ସରକାର ପରୀ ମାମଲାର ତଦନ୍ତ ପାଇଁ ଏସଆଇଟି ଘୋଷଣା କଲେ ସତ। କିନ୍ତୁ ଏହି ସ୍ୱତନ୍ତ୍ର ଯାଞ୍ଚ ଟିମ ମଧ୍ୟ ବିବାଦ ଭିତରେ ଫସି ଯାଇଥିଲା।

ବର୍ଷ ଶେଷ ହୋଇ ଆସିଲା ବେଳକୁ ଆଇଏଫଏସ  ଅଫିସର ଅଭୟ ପାଠକ ,ତାଙ୍କ ପୁଅ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ଘଟଣା ଏକ ରାଜନୈତିକ ଭୂକମ୍ପ ସୃଷ୍ଟି କରିଥିଲା।ପ୍ରଦୀପ ଯିଏ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଲୋକ ଥିଲେ ଓ ଗଞ୍ଜାମ ବିଜେଡିର ସର୍ବେସର୍ବା ଥିଲେ ସେ ଆୟ ବହିର୍ଭୁତ ସମ୍ପତ୍ତି ଓ ଅନ୍ୟାନ୍ୟ ଠକେଇ ଅଭିଯୋଗରେ ଗିରଫ ହେବା ପରେ ରାଜନୀତିର କଳୁଷିତ ଦିଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷିତ ହୋଇଥିଲା।

ମହାଦୁର୍ନୀତିର ପର୍ଦ୍ଦାଫାସ

ବର୍ଷ ଶେଷ ହୋଇ ଆସିଲା ବେଳକୁ ଆଇଏଫଏସ  ଅଫିସର ଅଭୟ ପାଠକ ,ତାଙ୍କ ପୁଅ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ଘଟଣା ଏକ ରାଜନୈତିକ ଭୂକମ୍ପ ସୃଷ୍ଟି କରିଥିଲା।ପ୍ରଦୀପ ଯିଏ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଲୋକ ଥିଲେ ଓ ଗଞ୍ଜାମ ବିଜେଡିର ସର୍ବେସର୍ବା ଥିଲେ ସେ ଆୟ ବହିର୍ଭୁତ ସମ୍ପତ୍ତି ଓ ଅନ୍ୟାନ୍ୟ ଠକେଇ ଅଭିଯୋଗରେ ଗିରଫ ହେବା ପରେ ରାଜନୀତିର କଳୁଷିତ ଦିଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷିତ ହୋଇଥିଲା।

Comment