ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ରେ ଶ୍ରମିକମାନଙ୍କୁ ସାହାରା ହେଉଛି ପ୍ରଶାସନ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବିଡିଓ ସୁଶ୍ରୀ କାର୍ତ୍ତିକଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସମୟରେ ହଜାର ହଜାର ଶ୍ରମିକଙ୍କୁ କାମ ଯୋଗେଇ ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇଛନ୍ତି ପ୍ରଶାସନ।

ରାଜ୍ୟପ୍ୟାପି ଲାଗି ରହିଛି କରୋନା ଆତଙ୍କ। ରାଜ୍ୟ ସରକାର ଗତ ଦୁଇ ମାସ ଧରି କରୋନା ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଗତ ମାର୍ଚ୍ଚ ମାସରୁ ଲକ୍‌ଡାଉନ୍‌ ବ୍ୟବସ୍ଥା ହୋଇଥିବା ଯୋଗୁଁ କୌଣସି କାର୍ଯ୍ୟ ଚାଲୁନି। ଫଳରେ ଶ୍ରମିକମାନଙ୍କ ଉପରେ ବିଶେଷ ପ୍ରଭାବ ପଡିଛି। ଦିନ ମଜୁରିଆ ଭାବେ ଖଟି ନିଜ ପରିବାର ପ୍ରତିପୋଷଣ କରୁଥିବା ଅନେକ ଶ୍ରମିକ ହାତ ବାନ୍ଧି ବସିଛନ୍ତି।

ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କୁ ଚାଉଳ ପ୍ରଦାନ କରିଥିଲେ ମଧ୍ୟ ତେଲ, ଲୁଣ ତଥା ପନିପରିବା ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବ୍ଲକ ଅଞ୍ଚଳର ସମସ୍ତ ଶ୍ରମିକ ଯେମିତି କାମ ପାଇବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ମନରେଗା ଯୋଜନାକୁ ତ୍ୱରାନ୍ୱିତ କରିଛନ୍ତି ବିଡିଓ।

ନିଜ ନିଜ ଅଂଚଳରେ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗଇବାରେ ସକ୍ଷମ ହେଲେ ବାହାରକୁ ଯାଇ କାମ କରିବା ଶ୍ରମିକଙ୍କ ସଂଖ୍ୟା ବହୁଳ ମାତ୍ରାରେ କମିବାର ସମ୍ଭାବନା ରହିଛି ବୋଲି ବିଡ଼ିଓ ସୁଶ୍ରୀ କାର୍ତିକ ପ୍ରକାଶ କରିଛନ୍ତି।

ତେନ୍ତୁଳିଖୁଣ୍ଟି ବିଡିଓ ସୁଶ୍ରୀ କାର୍ତ୍ତିକଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି। ବିଶେଷ କରି ଜଙ୍ଗଲ ପାହାଡ଼ ମଧ୍ୟରେ କାମ ଆରମ୍ଭ କରି ଲୋକଙ୍କୁ ପାରିଶ୍ରମିକ ଦିଆ ଯାଉଥିବା ଦେଖିବାକୁ ମିଳିଛି। ବ୍ଲକର ଅପହଞ୍ଚ ତଥା ପାହାଡିଆ ଅଞ୍ଚଳ ଭାବେ ପରିଚିତ ପାଙ୍ଗଣମରାଠାରୁ ଗଡିଗାଁ ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନରେଗା କାର୍ଯ୍ୟ ଆରମ୍ଭ ହୋଇଛି।

Comment