ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଅପରାହ୍‌ଣରେ ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୋଉଠି କଚ୍ଚା ଘର ଭାଙ୍ଗି ଯାଇଥିବା ବେଳେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି, ଆଉ କୋଉଠି କୂଳ ଲଙ୍ଘି ସମୁଦ୍ର ପାଣି ଗାଁରେ ପସି ଯାଇଛି। ତେବେ ଏସବୁ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ସମସ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ଅମ୍ପନ ସାମୁଦ୍ରିକ ଝଡ଼ ଅନେକ କ୍ଷତି ଘଟାଇଛି। ଜିଲ୍ଲାରେ ହଜାର ହଜାର ଗଛ ଓପାଡ଼ି ଭାଙ୍ଗି ଦେଇଛି। ଫନି ଓ ବୁଲ୍‌ବୁଲ୍‌ ପରେ ଏବେ ଅମ୍ପାନର ପ୍ରକୋପ ଜିଲ୍ଲାରେ ପୁଣି ଅନେକ କ୍ଷତି ହୋଇଛି।

କେତେକ ସ୍ଥାନରେ ଚାଳଛପର ଘର ଭାଙ୍ଗି ପଡ଼ିଛି ତ ଆଉ କୋଉଛି କାନ୍ଥ ପଡିଯାଇଛି, ସେହିପରି ଆଉ କୋଉଠି କାହା ଘରେ ପାଣି ପଶିଯାଇଛି। ବେଘର ହୋଇପଡିଛନ୍ତି ଲୋକମାନେ। ଏହି ସମୟରେ ଅସହାୟମାନେ ନିଜ ନିଜ ଗାଁରେ ସାହି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି।

ଏହାଛଡା ସମୁଦ୍ରରେ ଉଚ୍ଚ ଜୁଆର ଆସିବାରୁ ସମୁଦ୍ର କୂଳିଆ ଅଞ୍ଚଳ ମହାକାଳପଡ଼ା, ରାଜନଗର ଓ ରାଜକନିକା ଅଞ୍ଚଳରେ ବିଲବାଡ଼ିରେ ଲୁଣା ଜୁଆର ମାଡିଯାଇଛି। ମହାକାଳପଡା ବ୍ଲକର ୧୨ଶହ ଏକର ଆଦିବାସୀ ବସ୍ତିରେ ଲୁଣାପାଣି ପସିଯାଇଛି। ଏହାଛଡ଼ା ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଯାଇଛି।

ଜିଲ୍ଲାରେ ଏସବୁ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଓ ରାଜସ୍ୱ ବିଭାଗ ଏହି ରିପୋର୍ଟ ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ରାସ୍ତା ଅବରୋଧ କରିଥିବା ଗଛଗୁଡିକୁ, ଓଡ୍ରାଫ୍‌, ଏନଡିଆରଏଫ୍, ଅଗ୍ନିଶମ ବାହିନୀ ଓ ପୋଲିସ କାଟି ରାସ୍ତା ସଫା କରୁଛନ୍ତି।

Comment