ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆ ବାଟ’
  • କରୋନା ପ୍ରଭାବ ସମ୍ପର୍କରେ କହିଲେ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି
  • ଜୁନ୍‌ ଓ ଜୁଲାଇରେ ଭାରତ ଏବଂ ଓଡ଼ିଶାରେ କରୋନାର ପ୍ରଭାବ ଅଧିକ ରହିବ
  • କରୋନା ପାଇଁ ଜୀବନଶୈଳୀ ବଦଳାଇବାକୁ ପଡ଼ିବ
  • ସ୍ୱାସ୍ଥ୍ୟ ଭିତ୍ତିଭୂମି ଆହୁରି ସୁଦୃଢ଼ କରିବାକୁ ପଡ଼ିବ
  • କରୋନା ଭିତରେ ଜୀବନ, ଜୀବିକାକୁ ଦେଖିବାକୁ ପଡ଼ିବ

‘‘କରୋନା ଡର ଏପର୍ଯ୍ୟନ୍ତ ଯାଇନି। ଏବେ ବି ଆମେ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛେ। କରୋନାର ପ୍ରଭାବ ଆମ ଦେଶ ଭାରତ ଏବଂ ଓଡ଼ିଶାରେ କେତେ ରହୁଛି ତାହା ଜୁନ୍‌ ମଝିରୁ ଜୁଲାଇ ମଝି ସୁଦ୍ଧା ହିଁ ଜଣାପଡ଼ିବ। ଅନ୍ୟ ରାଷ୍ଟ୍ରମାନଙ୍କରେ କରୋନାର ପ୍ରଭାବ ଯେମିତି ରହିଛି ସେମିତି ପ୍ରଭାବ ଭାରତରେ ଦେଖିବାକୁ ମିଳିନି। ଏଣୁ ଆମକୁ ଆଗକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ’’, କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ଲକ୍‌ଡାଉନ୍‌ ବେଳେ କୋଭିଡ୍‌ ହିରୋମାନଙ୍କ ବିଷୟରେ ଲୋକମାନଙ୍କୁ ଜଣାଇବା ପାଇଁ ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡ଼ିଶାଲାଇଭ୍‌ ଏବଂ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ଜୀବନଶୈଳୀ ପ୍ଲାଟଫର୍ମ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଉଦ୍ୟମରେ ଏକ ଅଭିଯାନ ଆରମ୍ଭ ହୋଇଛି। ଏହାର ନାଁ ରହିଛି ‘କେତେ ନୂଆ ବାଟ’। ଏହି କ୍ୟାମ୍ପେନକୁ ସହଯୋଗ କରୁଛନ୍ତି ‘ୟୁନିସେଫ୍‌’, ଓଡ଼ିଶା। ଏହି କ୍ୟାମ୍ପେନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ଭାରତ ଓ ଓଡ଼ିଶାରେ କରୋନାର ପ୍ରଭାବ କେମିତି ରହିଛି ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

‘‘କରୋନା ସଙ୍କଟ ଭିତରେ ଆମେ ଆମର ଜୀବନ ଜୀବିକାକୁ ଦେଖିବାକୁ ପଡ଼ିବ। ପ୍ରବାସୀ ଓଡ଼ିଆ ଏବଂ ଗାଁ ଗହଳିରେ ଥିବା ଚାଷୀମାନଙ୍କ ସ୍ଥିତିକୁ ପ୍ରଥମେ ସ୍ୱାଭାବିକ କରିବାକୁ ପଡ଼ିବ। ଏହାସହ ସାଧାରଣ ବଣ୍ଟନରୁ ଯେଉଁମାନେ ଉପକୃତ ହେଉଛନ୍ତି ସେମାନଙ୍କ ସ୍ଥିତି ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ। ସ୍କୁଲ, କଲେଜ ଖୋଲିବାକୁ ପଡ଼ିବ। ଧୀରେ ଧୀରେ ଜନଜୀବକୁ ସାମାନ୍ୟ ସ୍ଥିତିକୁ ଆଣିବାକୁ ପଡ଼ିବ। ଏହାରି ଭିତରେ ଆମ ସ୍ୱସ୍ଥ୍ୟବସ୍ଥା ଯେମିତି ସଙ୍କଟରେ ନପଡ଼େ ସେଥିପ୍ରତି ସଜାଗ ରହିବାକୁ ପଡ଼ିବ’’, କହିଛନ୍ତି ସୁବ୍ରତ ବାଗ୍‌ଚି।

‘‘କରୋନା ସହିତ ଆମକୁ ଲମ୍ବା ସମୟ ଧରି ଲଢ଼ିବାକୁ ପଡ଼ିପାରେ। ଜୁନ୍, ଜୁଲାଇ ମାସ ପରେ ଏହା କମିଯିବ, ସେଭଳି ଆଶଙ୍କା କରିବା ଠିକ୍‌ ନୁହେଁ। ପ୍ରତିଷେଧକ ଆସିବାରେ ମଧ୍ୟ ବିଳମ୍ବ ହୋଇପାରେ। ଏଣୁ କରୋନା ସହିତ ବଞ୍ଚିବା ପାଇଁ ଆମ ଜୀବନଶୈଳୀକୁ ବଦଳାଇବାକୁ ପଡ଼ିବ। ସାମାଜିକ ଦୂରତ୍ୱ ରକ୍ଷା କରିବା, ନିଜେ ପରିସ୍କାର ରହିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ’’ କହିଛନ୍ତି ସୁବ୍ରତ ବାଗ୍‌ଚି।

Comment