ଓଡ଼ିଶାଲାଇଭ୍ବ୍ୟୁରୋ

ବଦମାସ ପିଲାଙ୍କୁ ଡରି ସ୍କୁଲ ନଯିବା ଆଦୌ ଠିକ୍ କଥା ନୁହେଁ ସାହସିକତାର ସହ ସେମାନଙ୍କୁ ସାମ୍ନା ସେମାନେ ତୁମକୁ ଚିଡ଼େଇବାକୁ ସାହସ କରିବେ ନାହିଁ ୟୁନିସେଫ୍ ମୀନା କାର୍ଟୁନ ସିରିଜରବଦମାସ ପିଲାଙ୍କୁ ଡର କାହିଁକିଅଧ୍ୟାୟରେ ଏହି କଥାକୁ ବୁଝାଇଦେଇଛି ମୀନା

ଯଦି ସ୍କୁଲ ଯିବା ବେଳେ ବଦମାସ ପିଲା ତୁମକୁ ହଇରାଣ କରୁଛନ୍ତି, ତେବେ ଏଥିରେ ଭାଙ୍ଗି ପଡ଼ନ୍ତୁ ନାହିଁ। ସେମାନଙ୍କୁ ଡରି ସ୍କୁଲ ନଯିବା ଆଦୌ ଠିକ କଥା ନୁହେଁ। ଦମ୍ଭ ଓ ସାହସିକତାର ସହିତ ସେମାନଙ୍କୁ ସାମ୍ନା କରିବାକୁ ହେବ। ମୀନା କାର୍ଟୁନ ସିରିଜର ଏହି ଅଧ୍ୟାୟରେ ମୀନା ସମସ୍ତଙ୍କୁ ଏଡି ବାର୍ତ୍ତା ଦେଇଛି।

ଏହି ଅଧ୍ୟାୟରେ ମୀନାର ସାଙ୍ଗକୁ କିଛି ବଦମାସ ପିଲା ହଇରାଣ କରୁଛନ୍ତି। ସେମାନଙ୍କୁ ଡରି ମୀନାର ସାଙ୍ଗ ଦୁଃଖ କରିବା ସହିତ ସ୍କୁଲ ଯିବାକୁ ମନା କରୁଛି। ହେଲେ ସାହାସୀ ମୀନା ଏହି ପରିସ୍ଥିତିୁ ମିଳିମିଶି ସାମ୍ନା କରିବା ପାଇଁ ଉପାୟ ପାଞ୍ଚିଛି ଏବଂ ବଦମାସ ପିଲାଙ୍କୁ ଠିକ୍ ବୁଦ୍ଧି ଶିଖେଇଛି। ଏହି ଭଳି ଭାବେ ବଦମାସ ପିଲାଙ୍କୁ ଠିକ୍ ରାସ୍ତାକୁ ଆଣିବା ସହିତ ନିଜ ସାଙ୍ଗକୁ ସ୍କୁଲ ଯିବାରେ ସାହାଯ୍ୟ କରିଛି ମୀନା। ଏହି ଅଧ୍ୟାୟରେ ମୀନାର କହିବା କଥା ହେଉଛି, ଯଦି ମିଳିମିଶି ଯେକୌଣସି ସମସ୍ୟାର ସମାଧାନ କରିବ, ରାସ୍ତା ଆପେ ଆପେ ଫିଟିଟିବ।

ମୀନା – କେମିତି  କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment