ଓଡ଼ିଶାଲାଇଭ୍ବ୍ୟୁରୋ

 

  • କୋଭିଡ୍‌ ମୁକାବିଲାର ବିଶେଷ ଦିଗ ଏବଂ କୋଭିଡ୍‌ ହିରୋଙ୍କ କାହାଣୀ
  • ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ
  • ମେ’ ୩୧ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ପ୍ରତି ରବିବାର ପ୍ରସାରିତ ହେବ
  • କୋଭିଡ୍‌ ସମୟରେ ପିଲାଙ୍କ କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବରୁ ଦୂରତା ଉପରେ ଜୋର୍‌
  • ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କାର୍ଯ୍ୟକ୍ରମ

କରୋନା ଲକ୍‌ଡାଉନ୍‌ ସମୟରେ ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍‌’ ଏବଂ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏକ ମିଡିଆ କ୍ୟାମ୍ପେନ – ‘କେତେ ନୂଆ ବାଟ’। ୟୁନିସେଫ୍‌, ଓଡ଼ିଶାଙ୍କ ସହାୟତାରେ ପ୍ରସ୍ତୁତ ଏହି ଅଭିଯାନ ଅଧୀନରେ ଏକ ରେଡିଓ ଧାରାବାହିକର ପ୍ରସାରଣ କରାଯାଉଛି। ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ଏହା ପ୍ରସାରିତ ହେବ। ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୧୩ଟି ଅଧ୍ୟାୟ ପ୍ରସାରିତ ହେବ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି ରେଡିଓ ସିରିଜର ମଧ୍ୟ ଡିଜିଟାଲରେ ପ୍ରସାରଣ କରାଯିବ। ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ପୋର୍ଟାଲ ସହିତ ଫେସ୍‌ବୁକ୍‌, ହେଲୋ ଏବଂ ୟୁଟ୍ୟୁବ୍‌ ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଦେଶ ବିଦେଶର ଦର୍ଶକ ଓ ଶ୍ରୋତାଙ୍କ ନିକଟରେ ଏହା ପହଞ୍ଚିବ।

‘‘ଏବେ ଚାରିଆଡ଼େ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଚିନ୍ତା। କିନ୍ତୁ ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିସ୍ଥିତିର ମୁକାବିଲା ଲାଗି ଲୋକଙ୍କୁ ସଚେତନ ଓ ପ୍ରସ୍ତୁତ କରିବା। ଏ ଦିଗରେ ମିଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଭଳି ଏକ ଜଟିଳ ସମୟରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ ମିଳିତ ଭାବରେ ଆରମ୍ଭ କରିଛନ୍ତି ‘କେତେ ନୂଆ ବାଟ’ ଅଭିଯାନ। ଏହି ଅଭିଯାନର ଶୀର୍ଷକରୁ ହିଁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଉଛି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ୟୁନିସେଫ୍‌, ଓଡ଼ିଶାଙ୍କ ସହଯୋଗ ଏହି ଅଭିଯାନକୁ କେବଳ ନୂଆ ରୂପ ଦେଇନାହିଁ, ବରଂ ଅଧିକ ମହତ୍ତ୍ୱପୂର୍ଣ୍ଣ କରିପାରିଛି ବୋଲି ଶ୍ରୀ ରଥ କହିଛନ୍ତି। ଏଥିପାଇଁ ସେ ୟୁନିସେଫ୍‌, ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

କେତେ ନୂଆ ବାଟ ଅଭିଯାନରେ ସାକ୍ଷାତକାର ଦେଇଛନ୍ତି ସୁବ୍ରତ ବାଗ୍ଚି।

‘କେତେ ନୂଆ ବାଟ’ର ପ୍ରଥମ ଅଧ୍ୟାୟରେ କୋଭିଡ୍‌ର ମୁକାବିଲା ପାଇଁ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ପ୍ରାଥମିକତା ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ର ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବା ସେ ବାବଦରେ ପରାମର୍ଶ ଦେଇଛନ୍ତି।

ସେହିପରି କରୋନା ଯୋଦ୍ଧାଙ୍କ କାହାଣୀ ବିଭାଗରେ ମୋହନାର ତହସିଲଦାର କଲ୍ୟାଣୀ ସଂଘମିତ୍ରା ଏବଂ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସମ୍ପଥ ଦାସଙ୍କ କଥା ରହିଛି। ୟୁନିସେଫ୍‌ର ଗୁଡଉଇଲ୍‌ ଆମ୍ବାସଡର ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସାମାଜିକ ଦୂରତା ତଥା ବ୍ୟକ୍ତିଗତ ପରିଚ୍ଛନ୍ନତା କରୋନାଠାରୁ ଦୂରେଇ ରହିବାର ଚାବିକାଠି ବୋଲି କହିଛନ୍ତି। ଏହି ଅଧ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ସଚେତନତା ବାର୍ତ୍ତା ମଧ୍ୟ ସ୍ଥାନ ପାଇଛି।

ମୋହନାର ତହସିଲଦାର କଲ୍ୟାଣୀ ସଂଘମିତ୍ରା

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେବ।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ସୁଜାତା ପଟ୍ଟନାୟକ।

ରେଡିଓ ଅଭିଯାନ ଛଡ଼ା ‘କେତେ ନୂଆ ବାଟ’ ଅଭିଯାନ ଅଧୀନରେ ୟୁନିସେଫର ଆନିମେସନ ଏବଂ ଅଡିଓ ସିରିଜର ପ୍ରସାରଣ କରାଯାଉଛି। ତା’ ସହିତ ସୋସିଆଲ ମିଡିଆରେ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି ପାଇଁ ଜନମତ କାର୍ଯ୍ୟକ୍ରମ ଚାଲିଛି। ଏହାସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।

Comment