ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ପ୍ରବାସୀ କରୋନାରେ ଦୁବାଇରେ ମୃତ୍ୟୁ ବରଣ କରିଥିଲେ। ଏବେ ପୁଣି ଜଣେ ପ୍ରବାସୀ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ କରୋନାରେ ମୃତ୍ୟ ବରଣ କରିଛନ୍ତି। ସୋମବାର ତାଙ୍କର ମୃତ୍ୟୁ ରିପୋର୍ଟ ପହଞ୍ଚିଛି।

ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ହାତିଆ ଗାଁର ନଟବର ସାହୁଙ୍କ ପୁଅ ରଞ୍ଜନ ସାହୁ। ସେ ୨୦ ବର୍ଷ ଧରି ଦିଲ୍ଲୀରେ ପାଣିପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ଘର ସହିତ କଳି ଝଗଡା ହେବାରୁ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଦିଲ୍ଲୀରେ ରହୁଥିଲେ। ଗତ ମେ’ ୩୧ ତାରିଖରେ ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ତାଙ୍କ ସାଙ୍ଗ ସାଥିମାନେ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତର ତାଙ୍କୁ କୋଭିଡ ଭେଣ୍ଟିଲେଟରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଡାକ୍ତରଖାନା ତରଫରୁ ଶେଷକୃତ୍ୟ କରାଯାଇଛି। ସେଠାରେ ତାଙ୍କର ବିଧବା ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଏହି ଦୁଃଖଦ ଖବର ସୋମବାର ତାଙ୍କ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଓଡିଶା ସରକାର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏହି ଅସହାୟ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ହାତିଆ ଗାଁର ଲୋକମାନେ।

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏହି ଖବର ପାଇ ମର୍ମାହତ ହୋଇଛନ୍ତି। ମୃତ ଶ୍ରମିକଙ୍କର ଅସହାୟ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ ବୋଲି କହିଛନ୍ତି, ଆଉ ଯାହା ଆବଶ୍ୟକ ସମସ୍ତ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Comment