ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନ୍ରେ ଥିବା ଓଡ଼ିଆଙ୍କୁ ଓଡ଼ିଶା ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏନେଇ ଓଡ଼ିଶା ଦାୟିତ୍ୱରେ ଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ନୋଡାଲ ଅଫିସର ରାହୁଲ ଶ୍ରୀବାସ୍ତବଙ୍କୁ ଚିଠି ଲେଖିଛନ୍ତି ଶ୍ରୀ ସ୍ୱାଇଁ।
ଚିଠିରେ ସେ ଦର୍ଶାଇଛନ୍ତି, ‘‘ବାହାରିନ୍ ଓଡ଼ିଆ ସମାଜ ସହିତ ମୁଁ ଆଲୋଚନା କରିଥିଲି। ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଲୋକ କରୋନା ସଙ୍କଟ ବେଳେ ଚାକିରି ହରାଇଛନ୍ତି। ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେମାନେ ନିଜ ରାଜ୍ୟ ଓଡ଼ିଶାକୁ ଫେରି ଆସିବାକୁ ଚାହୁଁଛନ୍ତି। ଏମାନଙ୍କ ଭିତରେ ବରିଷ୍ଠ ନାଗରିକ ଏବଂ ଗର୍ଭବତୀ ମହିଳା ବି ଅଛନ୍ତି। ଏଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଉ।’’
ବନ୍ଦେ ଭାରତ ମିଶନରେ ଭାରତ ବାହାରେ ଥିବା ଥିବା ଭାରତୀୟଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ଏହି ମିଶନରେ ବାହାରିନରୁ ମଧ୍ୟ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଆସୁଛି। ଏଥିମଧ୍ୟରୁ ଗୋଟିଏ ବିମାନ ବାହାରିନରୁ ସିଧାସଳଖ ଭୁବନେଶ୍ୱର ଆସିବା ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ସ୍ୱାଇଁ ଚିଠିରେ ଦର୍ଶାଇଛନ୍ତି। ଯଦି ଏହା ସମ୍ଭବ ହୋଇପାରୁନି ତାହାଲେ ବାହାରିନରେ ଥିବା ଓଡ଼ିଆମାନେ ଭାରତର ଯେକୌଣସି ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭୁବନେଶ୍ୱର ଆଣିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବାହାରିନରେ ଥିବା ବହୁ ସଂଖ୍ୟାରେ ଓଡ଼ିଆ ବନ୍ଦେ ଭାରତ ମିଶନ ଅଧୀନରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କୁ ସୁବିଧାରେ ଓଡ଼ିଶା ଫେରାଇ ଆଣିବା ଲାଗି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅପିଲ୍ କରିଛନ୍ତି। ବାହାରିନ୍ରେ ଥିବା ଓଡ଼ିଆମାନେ କେମିତି ନିଜ ଭିଟାମାଟିକୁ ଫେରିବେ ସେନେଇ ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ବ୍ୟାପେକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଭାରତୀୟ ଦୂତାବାସ ସହିତ ବାହାରିନ ଓଡ଼ିଆ ସମାଜ ଯୋଗାଯୋଗ ରଖିଥିବା ଶ୍ରୀ ସ୍ୱାଇଁ ଚିଠିରେ ଦର୍ଶାଇଛନ୍ତି।

















