ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅର ମୃତ୍ୟୁ ପରେ ଛାରଖାର ହୋଇଗଲା ପରିବାର। ପୁଅକୁ ହରାଇବା ପରେ ଭାଙ୍ଗି ପଡ଼ିଥିଲା ପରିବାର। ଏଥିପାଇଁ ସୋମବାର ୩ ଭଉଣୀ ସହ ମା’ ଭାଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ଜଣେ ଭଉଣୀ ଓ ଭାଇର ମୃତ୍ୟୁ ହୋଇଥିଲା ବେଳେ ଆଜି ମା’ ପୁଷ୍ପାବତୀଙ୍କର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ଼ ଅଞ୍ଚଳରେ।

ସୋମବାର ରାତିରେ ୩ ଭଉଣୀଙ୍କ ସହ ମା’ ଓ ଭାଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରି ଥିଲେ। ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ସକାଳେ ଭାଇ ଶ୍ରୀକାନ୍ତ ବିଶ୍ୱାଳ ଓ ରାତିରେ ଭଉଣୀ ପିଙ୍କି ବିଶ୍ୱାଳର ମୃତ୍ୟୁ ହୋଇ ଥିବା ବେଳେ ଆଜି ସକାଳେ ମା’ ପୁଷ୍ପାବତୀଙ୍କର ମୃତ୍ୟୁ ହୋଇ ଥିବା ବିଟିଏମ ଥାନା ଅଧିକାରୀ ସୁଚିସ୍ମିତା ମହାନ୍ତି କହିଛନ୍ତି। ଅନ୍ୟ ଦୁଇ ଭଉଣୀ ବନ୍ଦିତା ଓ ଲିଲିର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଭଉଣୀ ଲିଲି ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ଦୀପକ ବିଶ୍ୱାଳ ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ। ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବା ବେଳେ ଗତକାଲି ସେ ଗୁରୁତର ହୋଇପଡିଥିଲେ।

ପରେ ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ଦୀପକଙ୍କର ମୃତ ଘୋଷଣା କରିଥିଲେ। ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ।

ଭାଇର ମୃତ୍ୟୁ ହୋଇଥିବା ଜାଣି ଦୁଃଖରେ ଭାଙ୍ଗି ପଡିଥିଲା ପରିବାର। ଭାଇ ଶ୍ରୀକାନ୍ତ, ଭଉଣୀ ଲିଲି, ପିଙ୍କି, ବନ୍ଦିତା ଓ ମା’ ପୁଷ୍ପାବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଳମ୍ଵିତ ରାତି ପ୍ରାୟ ୧୨ଟାରେ ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

Comment