ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ସମୟ ପାଇଁ ସୃଷ୍ଟି ହେଲା ଭୂମିକମ୍ପର ଭ୍ରମ। ନଳକୂପ ଖୋଳା ଯାଉଥିବା ବେଳେ ମାଟି ତଳୁ ଶୁଭିଲା ସୁ ସୁ ଶବ୍ଦ। ନଳକୂପ ଖୋଳୁଥିବା ଶ୍ରମିକମାନେ ଛାନିଆ ହୋଇ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ। ପରେ ଭୁସ୍‌ ଭୁସ୍‌ ହୋଇ ମାଟି ଭିତରୁ କାଦୁଅ ଓ ପାଣି ବାହାରିବା ଆରମ୍ଭ କଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାରଡାଙ୍ଗ ଗାଁରେ।

ବାରଡାଙ୍ଗ ଗାଁର ଶ୍ୟାମସୁନ୍ଦର ଭୋଳ ନାମକ ଜଣେ ବ୍ୟକ୍ତିଙ୍କ ବାଡିରେ ଖୋଳା ଯାଉଥିଲା ଏକ ନଳକୂପ। ଖୋଳିବା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହଠାତ ମାଟି ତଳେ କିଛି ଶବ୍ଦ ଶୁଭିଲା। ଛାନିଆରେ ନଳକୂଅ ଖୋଳୁଥିବା ଶ୍ରମିକମାନେ ସେ ସ୍ଥାନ ଛାଡି ପଳାଇଲେ। ତାପରେ ମାଟିତଳୁ ଗବ୍ ଗବ୍ ହୋଇ ବାହାରିବାକୁ ଆରମ୍ଭ କଲା କାଦୁଅ ବାଲି ଆଉ ପାଣି।

କିଛି ସମୟ ପାଇଁ ସେଠାରେ ସୃଷ୍ଟି ହୋଇଥିଲା ଭୂମିକମ୍ପର ଭ୍ରମ। ପ୍ରକୃତିର ଏହି କୋପ ଦେଖିବାକୁ ଗାଁ ଲୋକ ଦୌଡି ଆସିଥିଲେ। ବେଶ କିଛି ସମୟ ଧରି ଚାଲିଲା ଏହି ଉଦଗିରଣ। ପ୍ରଚୁର ପରିମାଣର ମାଟି, କାଦୁଅ ଓ ପାଣି ଚାରିଆଡେ ମାଡିଯାଇଥିଲା। ପୋତା ହୋଇଥିବା ସବୁ ପାଣି ପାଇପ ଉପୁଡି ଯାଇଥିଲା।

ପ୍ରକୃତିର ଏଭଳି ଭୟଙ୍କର ରୂପ କେବେ କେଉଁଠି ଏହି ନଳକୂଅ ଖୋଳାଳିମାନେ ଦେଖିନଥିବା କହିଛନ୍ତି। କିଛି ସମୟପରେ ସବୁ ଶାନ୍ତ ହୋଇଯାଇଥିଲା। ନଳକୂପ ଖୋଳା ଯାଉଥିବା ସ୍ଥାନରେ ଏକ ବଡ ଗାଡିଆ ଗାତ ସୃଷ୍ଟି ହୋଇଯାଇଥିଲା।

Comment