ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜିଲ୍ଲା ଓଏଏସ୍ ସଂଘ ଜରୁରୀ ବୈଠକରେ ନିନ୍ଦା ପ୍ରସ୍ତାବ ଗୃହୀତ
  • ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ ଦାବି
  • ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଦାବିପତ୍ର
  • ଅଭିଯୁକ୍ତମାନଙ୍କ ପ୍ରତି ଆଇଆଇସିଙ୍କ ଅନୁକମ୍ପା
  • ଡିଏସ୍‌ପିସ୍ତରୀୟ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦାବି
  • ଆସନ୍ତାକାଲିଠୁ କଳାବ୍ୟାଚ ପରିଧାନ କରିବେ ପ୍ରଶାସନିକ ଅଧିକାରୀ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବିଦାୟୀ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ। ଏହି ଘଟଣାକୁ ୪୮ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି। ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଜିଲ୍ଲା ଓଏଏସ୍‌ ସଂଘ। ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ଭିତରେ ଗିରଫ ଦାବି କରିଛି ସଂଘ।

ଆଜି ଅପରାହ୍‌ଣ ୪ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଓଏଏସ୍ ସଂଘ ସଭାପତି ବିଧାନ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଏଏସ୍ ସଂଘର ଜରୁରୀ ବୈଠକ ବସିଥିଲା। ଏଥିରେ ଦଶପଲ୍ଲା ବ୍ଲକ ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ ଏତଲା ଆଧାରରେ ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ ଦାବି କରାଯାଇଛି। ଏହାସହ ଜଣେ ଡିଏସ୍‌ପି ସ୍ତରୀୟ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ଦାବି କରିଛି ସଂଘ।

ବିଡିଓଙ୍କୁ ତାଙ୍କ ସରକାରୀ ବାସଭବନରେ ମରଣାନ୍ତକ ଆକ୍ରମଣ ଉଦ୍ୟମ ହୋଇଥିବାରୁ ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ କଳାବ୍ୟାଚ୍‌ ପରିଧାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜୁନ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି।

ଆଜିର ବୈଠକରେ ୧୯ ଜଣ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଯାହା ନିଷ୍ପତ୍ତି ନିଆଗଲା ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ଏହି ଘଟଣାରେ ହସ୍ତକ୍ଷେପ ପାଇଁ ରାଜ୍ୟ ଗୃହ ବିଭାଗ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗର ପ୍ରମୁଖ ସଚିବ, ରାଜ୍ୟ ଓଏଏସ୍ ଆସୋସିଏସନ ସଭାପତି, ନୟାଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ଏସ୍‌ପିଙ୍କୁ ଦାବିପତ୍ରର ଏକ ନକଲ ପ୍ରଦାନ କରାଯାଇଛି।

ଜୁନ୍ ୧୪ ତାରିଖର ଘଟଣା। ରବିବାର ସାରା ଜିଲ୍ଲା ସଟଡାଉନ୍ ରହିଥିଲା। ସବୁ ଅଫିସ ବନ୍ଦ ରହିଥିଲା। ଏହିଦିନ କିଛି ବ୍ୟକ୍ତି ବ୍ଲକ ମୁଖ୍ୟ ଗେଟ୍‌ର ତାଲାଭାଙ୍ଗି ପଶିଥିଲେ। ଏହାପରେ ବିଡିଓଙ୍କ ବାସଭବନର ଗେଟ୍‌ ଭଙ୍ଗାରୁଜା କରିଥିଲେ। କ୍ୱାର୍ଟର୍ସକୁ ଟେକା ପଥର ମଧ୍ୟ ମାଡ଼ କରିଥିବା ବିଡିଓ ଦେବୀ ପ୍ରସାଦ ମହାନ୍ତି ଭିଡିଓ ଜାରି କରି କହିଛନ୍ତି। ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ନାଁ ମଧ୍ୟ ଗୋଟି ଗୋଟି ନେଇଛନ୍ତି ବିଡିଓ। ଏହାପରେ ବିଡିଓ ଦଶପଲ୍ଲା ଆଇଆଇସିଙ୍କୁ ଖବର ଦେଇଥିଲେ। ଆଇଆଇସି ଆସିଥିଲେ ଏବଂ ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ସେମାନଙ୍କୁ ଖସିଯିବା ପାଇଁ ବାଟ ଦେଖାଇଥିବା ବିଡିଓ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ଜିଲ୍ଲା ଓଏଏସ୍‌ ସଂଘ ନିକଟରେ ଫେରାଦ ହୋଇଥିଲେ।

Comment