ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନିରିହ ଲୋକଙ୍କୁ ମାଡ଼ମାରି ବିବାଦ ଘେରରେ ଥିଲେ ଦେବୀପ୍ରସାଦ
  • ରାଜ୍ୟ ପଞ୍ଚାୟତିରାଜ ବିଭାଗ ଦେଲା ବଦଳି ନିର୍ଦ୍ଦେଶ
  • ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଅଣଦେଖା ନେଇ ହୋଇଥିଲା ଅଭିଯୋଗ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବିଡିଓ ପଦବୀରୁ ଦେବୀପ୍ରସାଦ ମହାନ୍ତିଙ୍କୁ ବଦଳି କରାଯାଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବଦଳି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି।

ଦେବୀପ୍ରସାଦ ଦଶପଲ୍ଲା ବିଡ଼ିଓ ଥିବା ସମୟରେ କରୋନା ମୁକାବିଲା ନାମରେ ସାକେଣି ଗାଁରେ କିଛି ଲୋକଙ୍କୁ ମାଡମାରିବା ଓ ଅସଭ୍ୟ ଭାଷାରେ ଗାଲିଗୁଲଜ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଚଳିତ ମାସ ଏପ୍ରିଲ ୧୧ତାରିଖରେ ସାକେଣି ଗାଁର ଅନୁସୂଚିତ ଜାତିର କିଛି ଲୋକଙ୍କୁ ବିନା କାରଣରେ କ୍ଷମତାର ଅପବ୍ୟବହାର କରି ବିଡ଼ିଓ ଥିବା ଦେବୀପ୍ରସାଦ ଠେଙ୍ଗାରେ ମାଡ଼ ମାରିବା ଓ ଲୋକଙ୍କୁ ନାନା ଧମକଚମକ ଦେବା ସଂପର୍କରେ ମାନାବାଧିକାର ଆୟୋଗ, ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଘଟଣାର ପ୍ରାୟ ୨ମାସ ପରେ ତାଙ୍କର ବଦଳି ହୋଇଛି। ଯଦିଓ ବଦଳି ପଛର କାରଣ ସ୍ପଷ୍ଟ ହୋଇ ନାହିଁ, ତଥାପି ସାଧାରଣ ଲୋକଙ୍କୁ ମାଡ଼ ମାରିବା ଓ କ୍ଷମତାର ଅପବ୍ୟବହାର କରିବା ଘଟଣାରେ ଦେବୀପ୍ରସାଦଙ୍କୁ ମହଙ୍ଗା ପଡ଼ିଥିବା ଆଲୋଚନା ହେଉଛି। ଏହା ଛଡା ତାଙ୍କ ନାଁରେ ଲୋକପ୍ରତିନିଧିଙ୍କୁ ଅଣଦେଖାର ମଧ୍ୟ ଅଭିଯୋଗ ରହିଥିଲା।

ତାଙ୍କ ବଦଳି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ହୋଇଛି। ଦଶପଲ୍ଲା ବିଡିଓ ପଦବୀରେ ଅନ୍ୟ ଜଣେ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି।

Comment