ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭିଡିଓ ଜରିଆରେ ଆକ୍ରମଣର ପୂରା କାହାଣୀ କହିଲେ ପୂର୍ବତନ ବିଡିଓ
  • ଗେଟ୍‌ ଭାଙ୍ଗି ପଶିଲେ, ଟେକା ପଥର ମାଡ଼ କଲେ
  • ଝରକା ଭାଙ୍ଗିବାକୁ ଉଦ୍ୟମ
  • ଆଇଆଇସି ଆସିଲେ, ଆକ୍ରମଣକାରୀଙ୍କୁ ଖସାଇଦେଲେ
  • ଜୀବନପ୍ରତି ବିପଦ ରହିଛି: ଦେବୀ ପ୍ରସାଦ

‘‘ରବିବାର ଦିନ ପ୍ରାୟ ସାଢ଼େ ୨ଟା ହେବ। ମୁଁ ମୋ ସରକାରୀ ବାସଭବନରେ ଥିଲି। ଏହି ସମୟରେ କିଛି ଲୋକ ଆସି ବ୍ଲକ ଅଫିସର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗିଥିଲେ। ଏହାପରେ ମୋ’ କ୍ୱାର୍ଟର୍ସ ପାଖକୁ ଆସିଥିଲେ। ଗେଟ୍‌କୁ ପ୍ରଥମେ ଧକ୍କା ମାରିଥିଲେ। ବାଇକ୍‌ ଆଣି ଗେଟ୍‌ରେ ପିଟିଥିଲେ। ମେଟାଲ କଟରରେ ଗ୍ରୀଲ କାଟିଥିଲେ। ଟେକା ପଥର ମାଡ଼ କରିବା ସହ ଝରକା ଭାଙ୍ଗିବାକୁ ଉଦ୍ୟମ କରିଥିଲେ’’, ଭିଡିଓ ଜାରି କରି ଏହା କହିଛନ୍ତି ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି।

ଗତ ୧୪ ତାରିଖରେ ନୟାଗଡ଼ ଜିଲ୍ଲା ସଟ୍‌ଡାଉନ ରହିଥିଲା। ଦେବୀପ୍ରସାଦ କ୍ୱାର୍ଟର୍ସରେ ଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ ହୋଇଥିଲା। ଏ ସମ୍ପର୍କରେ ନିଜେ ଦେବୀପ୍ରସାଦ ଭିଡିଓ ଜାରି କରି ସେଦିନର ଘଟଣା ପୂରା ବର୍ଣ୍ଣନା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କୁ କେଉଁ କେଉଁମାନେ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିଲେ ତାହା ମଧ୍ୟ ଏହି ଭିଡିଓରେ ପ୍ରକାଶ କରିଛନ୍ତି ନିଜେ ଦେବୀପ୍ରସାଦ।

ଏ ସମ୍ପର୍କରେ ଦେବୀପ୍ରସାଦ ଦଶପଲ୍ଲା ଆଇଆଇସିଙ୍କୁ ଖବର ଦେଇଥିଲେ। ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଆକ୍ରମଣକାରୀଙ୍କୁ ଧରିବା ବଦଳରେ ତାଙ୍କୁ ଖସାଇ ଦେଇଥିବା ଏହି ଭିଡିଓରେ କହିଛନ୍ତି ପୂର୍ବତନ ବିଡିଓ।

ପୂର୍ବତନ ବିଡିଓ ଦେବୀ ପ୍ରସାଦ ଭିଡିଓରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା ବାରମ୍ବାର ପ୍ରକାଶ କରିଛନ୍ତି। ଆକ୍ରମଣକାରୀ ଦଶପଲ୍ଲା ଅଞ୍ଚଳର ରାଜନୈତିକ ବ୍ୟକ୍ତି। ସେମାନଙ୍କୁ ଆଇଆଇସି ଗିରଫ ନକରି ଘଟଣାସ୍ଥଳରୁ ଭଗେଇ ଦେଇଥିଲେ। ଏନେଇ ସମସ୍ତ ଭିଜୁଆଲ ସିସିଟିଭି କ୍ୟାମେରାରେ ରେକର୍ଡ ରହିଥିବା ଦେବୀ ପ୍ରସାଦ କହିଛନ୍ତି।

ଦେବୀପ୍ରସାଦ ଭୁବନେଶ୍ୱର ଗଲା ପରେ ମଧ୍ୟ ସେଠାରେ ତାଙ୍କ ଜୀବନପ୍ରତି ବିପଦ ରହିଥିବା ଆଶଙ୍କା କରିଛନ୍ତି। ଯଦି ତାଙ୍କ ସହିତ କୌଣସି ଅଘଟଣ ଘଟେ ତେବେ ନିର୍ଦ୍ଦିଷ୍ଟ ଭାବେ ଦଶପଲ୍ଲାର ୪ ଜଣ ମାଫିଆଙ୍କ ସହ ଆଇଆଇସି ଦାୟୀ ରହିବେ ବୋଲି ଦେବୀ ପ୍ରସାଦ ଭିଡିଓରେ ପ୍ରକାଶ କରିଛନ୍ତି।

ଜଣେ ପୋଲିସ୍ ଅଧିକାରୀ କିଭଳି ଅପରାଧିକଙ୍କ ସହ ହାତ ମିଳାଇ କାର୍ଯ୍ୟ କରି ଚାଲିଛନ୍ତି ତାହା ବିଡିଓ କାର୍ଯ୍ୟକାଳ ସମୟରେ ଦେବୀ ପ୍ରସାଦ ଅନୁଭବ କରିଥିବା କହିଛନ୍ତି। ପୂର୍ବତନ ବିଡିଓ ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ପୋଲିସ୍ ଏକ ମାମଲା ରୁଜୁ କରିଛି। ପୋଲିସ୍ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ନାଟକୀୟ ଢ଼ଙ୍ଗରେ ସେଠାରେ ଯେଭଳି ଆକ୍ରମଣ ଘଟଣା ଘଟିଲା ତାହାକୁ ଜିଲ୍ଲା ଓଏଏସ୍ ସଂଘ ଗୁରତ୍ୱର ସହ ନେଇଛି। ଦଶପଲ୍ଲା ବିଡିଓ ପଦବୀରୁ ଦେବୀ ପ୍ରସାଦ ମହାନ୍ତି ଜୁନ ୧୦ ତାରିଖରେ ଅନ୍ୟତ୍ର ବଦଳି ହେବା ପରେ ଏପରି ଅପ୍ରୀତିକର ଘଟଣା ଦେଖାଦେଇଛି।

Comment