ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ସାରା ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଛରେ ପଡ଼ିଛି। କନ୍ଧମାଳ ଜିଲ୍ଲା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ତାଲିକାର ପଛଆଡ଼ୁ ପ୍ରଥମ ଓ ଦ୍ୱିତୀୟରେ ରହିବାକୁ ପ୍ରତିଦ୍ୱନ୍ଦୀତା କରୁଛନ୍ତି। ତେବେ ଜିଲ୍ଲାର ଅନ୍ୟାନ୍ୟ ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଜିଲ୍ଲା ଆଗକୁ ଯାଉନି। ଜିଲ୍ଲା ଯୋଜନା ବୋର୍ଡକୁ ଜିଲ୍ଲାର ବିଡିଓମାନେ ବେଖାତିର କରି ବୋର୍ଡକୁ ରିପୋର୍ଟ ନଦେବାରୁ ଏପରି ଅଚଳାବସ୍ଥା ଲାଗିରହିଥିବା ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପରିବହନ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କୌଣସି ଫଇସଲା ନହୋଇ ଶେଷ ହୋଇଛି।

ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ବାକବିତଣ୍ଡା ଲାଗିବାରୁ ସଭାଗୃହ ଅଚଳ ହୋଇଯାଇଥିଲା।

ଗତ ତ୍ରୟୋଦଶ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯାହା ନିଷ୍ପତ୍ତି ହୋଇଥିଲା ତାହା କର୍ଯ୍ୟକାରୀ ହୋଇନାହିଁ ବୋଲି ସଦସ୍ୟ ଗଣେଶ ଚନ୍ଦ୍ର ସାମଲ ଅଭିଯୋଗ କରିଥିଲେ। ବୋର୍ଡର ନିମନ୍ତ୍ରିତ ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ପ୍ରକଳ୍ପ ଦେବାକୁ କହି ତାହା କାର୍ଯ୍ୟକାରୀ କରାଯାଇନି। ଏହାଛଡ଼ା ଜିଲ୍ଲାର ୯ଟି ବ୍ଲକରେ କୋଟିକୋଟି ଟଙ୍କାର ବିଭିନ୍ନ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାନଯାଇ ପଡ଼ିରହିଛି। ଏହାର ତାଲିକା ପ୍ରଦାନ କରିବାକୁ ବିଡିଓମାନଙ୍କୁ କୁହାଯାଇଥିବା ବେଳେ ବିଡିଓମାନେ ରିପୋର୍ଟ ଦେଉ ନଥିବା ଅଭିଯୋଗ ହୋଇଛି।

ଜିଲ୍ଲାର ଗୋପବନ୍ଧୁ ଗ୍ରାମୀଣ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ବିଡିଓମାନେ ସରକାରଙ୍କ ନିୟମ ବାହରକୁ ଯାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ।

ଗ୍ରାମସଭାରେ ପାରିତ ପ୍ରକଳ୍ପଗୁଡ଼ିକୁ ତାଲିକାଭୁକ୍ତ କରାନଯାଇ ବିଡିଓମାନେ ନିଜ ମନମାନିରେ ପ୍ରକଳ୍ପଗୁଡିକର ତାଲିକା ପଠାଇ ବୋର୍ଡକୁ ଅବମାନନା କରିଆସୁଛନ୍ତି ବୋଲି ସଦସ୍ୟମାନେ ଅଭିଯୋଗ କରିଥିଲେ। ଜିଜିୱାଇର ଆଇନକାନୁନ ବାହାରକୁ ବିଡିଓମାନେ ଚାଲିଯାଉଥିବା ଅଭିଯୋଗକୁ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ପ୍ରତିହତ କରିଥିଲେ। ଫଳରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସହିତ ବୈଠକରେ ତୁମୁଳ ପାଟିତୁଣ୍ଡ ହୋଇଥିଲା। ଏପରିକି ଧ୍ରୁବ ସାହୁ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ଗୁଣ୍ଡା କହିବାକୁ ପଛାଇନଥିଲେ। ଗ୍ରାମସଭାରେ ପାରିତ ପ୍ରକଳ୍ପଗୁଡ଼ିକୁ ବିଡିଓମାନଙ୍କ ଜରିଆରେ ଯୋଜନା ବୋର୍ଡ ବୈଠକକୁ ପଠାଇବାକୁ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଗଣ୍ଡଗୋଳ ଯୋଗୁ ବୈଠକ ଆଗକୁ ବଢ଼ି ନଥିଲା। ଆଲୋଚନାକୁ ବନ୍ଦ କରାଯାଇ ବୈଠକ ଶେଷ କରି ଦିଆଯାଇଥିଲା।

ଏହି ବୈଠକରେ ଜିଲା ଯୋଜନା ବୋର୍ଡର ଉପାଧ୍ୟକ୍ଷା ସବିତା ସେଠୀ, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ଜିଲାପାଳ ଦାଶରଥୀ ଶତପଥୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡାଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟମାନେ ଯୋଗଦେଇଥିଲେ।

Comment