ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସୀମାରେ ସହିଦ ହୋଇଗଲେ ଓଡ଼ିଆ ପୁଅ ନନ୍ଦୁରାମ ସୋରେନ। ଏହି ଖବର ପ୍ରସାରିତ ହେବା ପରେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏବେ ନନ୍ଦୁରାମଙ୍କୁ ଝୁରୁଛି ଗାଁ ମାଟି। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଏପଟେ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସହିଦ ନନ୍ଦୁରାମଙ୍କ ୩ ଝିଅ।

ଭାରତ-ଚୀନ୍‌ ସୀମା ବିବାଦ ସଂଘର୍ଷରେ ସହିଦ ହୋଇଛନ୍ତି ଭାରତର ୨୦ ଜଣ ଯବାନ। ସେଥିରେ ରହିଛନ୍ତି ୨ ଜଣ ଓଡ଼ିଆ ବୀର ପୁତ୍ର। ଜଣେ ମୟୂରଭଞ୍ଜ ଜିଲ୍ଲା ବିଜତଳ ବ୍ଲକ ଚମ୍ପାରଦା ଗାଁର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ।

ଚମ୍ପାରଦା ଗାଁର କାହ୍ନୁ ସୋରେନଙ୍କ ସାନ ପୁଅ ହେଉଛନ୍ତି ନନ୍ଦୁରାମ ସୋରେନ। ରାଇରଙ୍ଗପୁରରେ ଯୁକ୍ତ ଦୁଇ ପଢୁଥିବା ବେଳେ ସେନାବାହିନୀରେ ଯୋଗ ଦେଇଥିଲେ ନନ୍ଦୁରାମ ସୋରେନ। ପରେ ୧୯୯୭ ମସିହାରେ ୧୬ ବିହାର ରେଜିମେଣ୍ଟରେ ସିପାହୀ ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଲେପ୍ଟନାଣ୍ଟ ସୁବେଦାର ଭାବେ ସେନାରେ କାର୍ଯ୍ୟ କରୁଥିଲେ।

ବାପା, ମା’, ବଡ଼ ଭାଉ ଓ ଭଉଣୀଙ୍କ ମୃତ୍ୟୁ ପରେ ନନ୍ଦୁରାମ ନିଜ ସ୍ତ୍ରୀ ଓ ୩ ଝିଅଙ୍କ ସହ ରହୁଥିଲେ। ଏବେ ନନ୍ଦୁରାମଙ୍କ ପରିବାର କହିଲେ ଲକ୍ଷ୍ମୀ ସୋରେନ, ବଡ଼ ଝିଅ ବାଣେଶ୍ଵରୀ, ମଝିଆ ଝିଅ ମାନସୀ, ସାନ ଝିଅ ସୋନାଲି। ସ୍ଵାମୀଙ୍କ ସହିଦ ଖବର ଶୁଣି ନିଜକୁ ସମ୍ଭାଳି ପାରୁନାହାନ୍ତି ସ୍ତ୍ରୀ ଲକ୍ଷ୍ମୀ। ଏପଟେ ବାପାଙ୍କୁ ଝୁରୁଛନ୍ତି ୩ ଝିଅ।

ଅନ୍ୟପକ୍ଷରେ ସାଙ୍ଗସାଥିମାନେ ଶୋକାକୁଳ ପରିବେଶରେ ଅନେଇ ବସିଛନ୍ତି ବୀର ସହିଦଙ୍କ ମରଶରୀର କେବେ ପହଞ୍ଚିବ। ସେପଟେ ବୀର ଯବାନଙ୍କୁ ଜନ୍ମମାଟି ଅନେଇ ବସିଛି ବିଦାୟ ଜଣାଇବାକୁ। ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ବର୍ଗର ଲୋକଙ୍କର ସୁଅ ଛୁଟିଥିଲା ସହିଦଙ୍କ ପରିବାରକୁ ସାନ୍ତ୍ଵନା ଦେବାକୁ। ଅନ୍ୟପକ୍ଷରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ସହିଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here