ଓଡ଼ିଶାଲାଇଭ୍‌ ବ୍ୟୁରୋ 

କରୋନା ମହାମାରୀ କାରଣରୁ ଚଳିତ ବର୍ଷ କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ବଳଦେବଜୀୟୁଙ୍କ ରଥଯାତ୍ରା ବନ୍ଦ ରହିବ। ମନ୍ଦିର ପରିସର ମଧ୍ୟରେ ରଥଯାତ୍ରା ସମ୍ବନ୍ଧୀୟ ସମସ୍ତ ରିତିନୀତି ସମାପନ ହେବ ବୋଲି ରଥଯାତ୍ରା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା।

ବୁଧବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କୁ ନେଇ ବସିଥିବା ବୈଠକରେ ସେବାୟତମାନେ ରଥଯାତ୍ରା ସପକ୍ଷରେ ମତାମତ ଦେଇଥିଲେ। ୩୦୦ ସେବାୟତଙ୍କୁ ନିୟୋଜିତ କରି କୋଭିଡ ନିୟମକୁ ମାନି ରଥଯାତ୍ରା କରାଯିବାକୁ ବୈଠକରେ ପ୍ରସ୍ତାବ ରଖିଥିଲେ।

ହେଲେ ରଥଯାତ୍ରା କରାଗଲେ ଭକ୍ତଙ୍କ ସମାଗମ ଓ ଭକ୍ତଙ୍କ ଆବେଗକୁ ସମ୍ଭାଳିବାକୁ ପ୍ରଶାସନ ଅକ୍ଷମତା ପ୍ରକାଶ କରିଥିଲା। କରୋନା କଟକଣାକୁ ମାନି ରଥଯାତ୍ରା ପାଳନ କରିବା ଅସମ୍ଭବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଏହି ବୈଠକରେ ପ୍ରକାଶ କରିଥିଲେ। ମନ୍ଦିର ପରିସର ମଧ୍ୟରେ ରଥଯାତ୍ରାର ସମସ୍ତ ବିଧିବିଧାନ କରି ଚଳିତ ବର୍ଷ ରଥଯାତ୍ରା ସମାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଜିଲ୍ଲାର ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ହେଉଥିବା ସମସ୍ତ ରଥଯାତ୍ରାକୁ ମଧ୍ୟ ଏହି ଢଙ୍ଗରେ ପାଳନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତୁଳସୀକ୍ଷେତ୍ରରେ ଏବର୍ଷ ରଥଯାତ୍ରା ବନ୍ଦ ହେଉଥିବାରୁ, ମନ୍ଦିର ମଧ୍ୟରେ ରଥଯାତ୍ରାର କି ପ୍ରକାର ବିଧିବିଧାନରେ ରଥଯାତ୍ରା ସମାପନ କରାଯିବ, ସେ ସମ୍ପର୍କରେ ମନ୍ଦିରର ରାଜପୁରୋହିତଙ୍କ ଗିରିଧାରୀ ପତିଙ୍କ ମତାମତ ଲୋଡାଯାଇଛି ବୋଲି ବଳଦେବଜୀୟୁଙ୍କ ମନ୍ଦିର ପରିଚାଳନା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ତାଳଧ୍ଵଜ ରଥ ବିଶ୍ଵର ଅନ୍ୟତମ ବିଶାଳ ରଥ। ୬୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରଥରେ ୧୪ଟି ଚକ ଓ ୭ଟି ଅଖ ବ୍ୟବହାର କରାଯାଏ। ଏହି ରଥଟାଣିବାକୁ ୪ଟି ରଥ ଦଉଡି ଲାଗେ। ଆବଶ୍ୟକ ଅନୁସାରେ ୨ଟି କିମ୍ବା ୩ଟି ଦଉଡିରେ ଟଣା ଯାଏ ରଥ। ଏକ ସାଙ୍ଗରେ ୩୦୦ରୁ ଅଧିକ ସଂଖ୍ୟକ ଭକ୍ତ ରଥକୁ ଟାଣିଥାନ୍ତି।

Comment