ଓଡିଶାଲାଇଭ୍ ବ୍ୟୁରୋ

 

 

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଫଳଗଛରେ ଭରି ଉଠିବ ଗାଁଗଣ୍ଡା। ସବୁଜିମାରେ ଶୋଭା ପାଇବ ପରିବେଶ। ଏଭଳି ଏକ ଅଭିନବ ପ୍ରୟାସ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ଓ ସାନଜରିଆ ଗ୍ରାମ ପଞ୍ଚାୟତର ସ୍ଵେଚ୍ଛାସେବୀ ଏବଂ ବୁଦ୍ଧିଜୀବୀମାନେ।

ବୁଧବାର ବୃକ୍ଷ ରୋପଣ ସପ୍ତାହ ପାଳନ ଅବସରରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ କନ୍ଦ ଜେନା ଉଦଘାଟନ କରିଛନ୍ତି।

କେନ୍ଦ୍ରାପଡ଼ା ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି। ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍ , ହୁଡହୁଡ୍ , ଫନି, ଅମ୍ଫାନ ଆଦି ସାମୂଦ୍ରିକ ଝଡ଼ କେନ୍ଦ୍ରାପଡ଼ା ଜିଲ୍ଲାରେ ତାଣ୍ଡବ ରଚିଛି। ଯାହାଫଳରେ ଗାଁ ଦାଣ୍ଡ, ତୋଟା ଓ ରାସ୍ତାକଡ଼ରେ ଥିବା ଅନେକ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି। ଏଥିରେ ଅନେକ ଫଳଗଛ ମଧ୍ୟ ଭାଙ୍ଗିଯାଇଛି। ତେଣୁ ସ୍ଵେଚ୍ଛାସେବୀଙ୍କ ପକ୍ଷରୁ ଏହି ଦୁଇ ପଞ୍ଚାୟତରେ ଫଳଗଛ ଲଗେଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

 

ଏହି ଯୋଜନାରେ ଗଙ୍ଗାରାମପୁର ଓ ସାନଜରିଆ ଗ୍ରାମ ପଞ୍ଚାୟତର ୪ ହଜାର ପରିବାର ବାଡ଼ିରେ ଆମ୍ବ, ପିଜୁଳି, ପଣସ, ଲେମ୍ବୁ, ଜାମୁଡ଼ୋଳ, ଡାଳିମ୍ବ ଆଦି ଜାତିଜାତିକା ଫଳଗଛ ଲାଗିବ। ବିନା ମୂଲ୍ୟରେ ଲୋକେ ଉନ୍ନତମାନର ଫଳଗଛ ପାଇବେ। ସ୍ଵେଚ୍ଛାସେବୀମାନଙ୍କ ସହିତ ମିଶି ନିଜ ବାଡ଼ିରେ ଫଳଗଛ ଲଗାଇବା ସହ ଗଛଗୁଡ଼ିକର ଯତ୍ନ ନେବେ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏହି କାର୍ଯ୍ୟକ୍ରମରେ ଦୁଇ ପଞ୍ଚାୟତର ସରପଞ୍ଚଙ୍କୁ ସ୍ଵତନ୍ତ୍ର ସହଯୋଗ କରିବାକୁ ସମ୍ମତି ଜଣାଇଛନ୍ତି। ଏଥିସହ କାର୍ଯ୍ୟକ୍ରମକୁ ଦୁଇ ପଞ୍ଚାୟତର ସରପଞ୍ଚ, ଓ୍ବାର୍ଡ ସଦସ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ, ସରସ୍ଵତୀ ସେବା ସଙ୍ଗଠନ, ଦରଦୀବନ୍ଧୁ ସେବା ସଂସ୍ଥାନ ଏବଂ ପରିବେଶବିତ୍ ହରିହର ବାରିକଙ୍କ ପରି ଅନେକ ବଦାନ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିଛନ୍ତି। କୋଭିଡ୍ କଟକଣାରେ ସାମାଜିକ ଦୂରତ୍ଵ ସହିତ ସପ୍ତାହେ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲୁ ରହିବ।

Comment