ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ କବି, ଔପନ୍ୟାସିକ, ଗାଳ୍ପିକ, ନାଟ୍ୟକାର ଓ ପ୍ରାବନ୍ଧିକ ଏବଂ ଓଡ଼ିଆ ସାହିତ୍ୟର ସବୁଜ ଯୁଗର ପ୍ରବକ୍ତା ସ୍ୱର୍ଗତଃ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଜନ୍ମଦିନରେ ଗଭୀର ଶ୍ରଦ୍ଧାଞ୍ଜଳି।

କାଳନ୍ଦୀ ଚରଣ ପାଣିଗ୍ରାହୀ, ଓଡ଼ିଆ ସାହିତ୍ୟର ସବୁଜ ଗୋଷ୍ଠୀର କବିମାନଙ୍କ ମଧ୍ୟରୁ ଜଣେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଏକାଧାରରେ ଜଣେ କବି, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ ଭାବେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଆଜି ସେହି ମହାନ ସାହିତ୍ୟକଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ଓଡ଼ିଆ ସାହିତ୍ୟ ଇତିହାସରେ କାଳନ୍ଦୀ ଚରଣ ଜଣେ ବିସ୍ମୟକର ପ୍ରତିଭା। ସତ୍ୟବାଦୀ ଯୁଗ ଅସ୍ତମିତ ହୋଇ ଆସୁଥିଲା ବେଳେ ଓ ୧୯୨୧ ଗନ୍ଧୀଜୀଙ୍କର ଅସହଯୋଗ ଆନ୍ଦୋଳନ ବେଳେ ସେ ଏକ ସବୁଜ ଯୁଗର ସୃଷ୍ଟି କରିଥିଲେ। ସେ ସମୟରେ ତାଙ୍କର ପ୍ରଗତିଶୀଳ ଚେତନା ସ୍ପଷ୍ଟ ବାରି ହୁଏ। ତାଙ୍କ ଲେଖାରେ ଆତ୍ମୀୟତା ଥାଏ। ଏହା କେବଳ କାଳନ୍ଦୀ ଚରଣଙ୍କ ପକ୍ଷରେ ସମ୍ଭବ ଥିଲା’’, କହିଛନ୍ତି  ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

କବି କାଳନ୍ଦୀ ଚରଣ ପାଣିଗ୍ରାହୀ ବହୁ ସାର୍ଥକ କବିତାର ସ୍ରଷ୍ଟା। ‘ ସବୁଜ କବିତା’ ସଙ୍କଳନରେ ତାଙ୍କର ୭ଟି କବିତା ବ୍ୟତୀତ ମନେ ନାହିଁ, ମହାଦୀପ, କ୍ଷଣିକ ସତ୍ୟ, ଛୁରୀ ଟିଏ ଲୋଡ଼ା ଓ ଶେଷ ରଶ୍ମୀ ଓଡ଼ିଆ କାବ୍ୟ ସାହିତ୍ୟକୁ ତାଙ୍କର ମହାନ ଅବଦାନ।

‘‘ଓଡ଼ିଶାର ଖ୍ୟାତନାମା କବି ଥିଲେ କାଳନ୍ଦୀ ଚରଣ ପାଣିଗ୍ରାହୀ। ସାହିତ୍ୟର ସବୁ ବିଭାଗକୁ ସେ ରୁଦ୍ଧିମନ୍ତ କରିଛନ୍ତି। ସେ ରବିନ୍ଦ୍ର ନାଥ ଟାଗୋରଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ଏହା ତାଙ୍କ ଲେଖାରୁ ଜଣାପଡ଼େ। ପରବର୍ତ୍ତୀ ସମୟରେ ସେ ଗାନ୍ଧୀଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ଫଳରେ ସେ ଖଟିଖିଆ ଗରିବ ଲୋକ ଉପରେ ଲେଖା ଆରମ୍ଭ କରିଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଭାଇ ଭଗବତ ଚରଣ ପାଣିଗ୍ରାହୀ ମଧ୍ୟ ଜଣେ ସାହିତ୍ୟକ ଥିଲେ। ତାଙ୍କ ସୁକନ୍ୟା ନନ୍ଦିନୀ ଶତପଥୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ସେ ମଧ୍ୟ ସାହିତ୍ୟ ସାଧନା କରିଛନ୍ତି।

‘‘ସବୁଜ ଯୁଗର କବିମାନେ ସ୍ୱପ୍ନର କଥା ଓ ସମ୍ଭାବନାର କଥା କହିଥିଲେ। ଏମାନଙ୍କ ଭିତରେ ଥିଲେ କାଳନ୍ଦୀ ଚରଣ ପାଣିଗ୍ରାହୀ। ତାଙ୍କର ଅବଦାନ ପାଇଁ ସେ ଚିର ନମସ୍ୟ ରହିବେ। ତାଙ୍କର ଲେଖା ସମଗ୍ର ଭାରତବର୍ଷର ପାଠକ ପାଠିକାଙ୍କ ନିକଟରେ ପହଞ୍ଚିଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ପ୍ରିୟଦର୍ଶୀ, ସୌମ୍ୟା, ପଦ୍ମନୀ ଆଦି ନାଟକର ରଚୟିତା କାଳନ୍ଦୀ ଚରଣ ପାଣିଗ୍ରାହୀ ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବେ ଅସାଧାରଣ କୃତିତ୍ୱର ଅଧିକାରୀ। ଆତ୍ମଜୀବନୀ ଗ୍ରନ୍ଥ ‘ଅଙ୍ଗେ ଯାହା ନିଭାଇଛି’ ତାଙ୍କ କର୍ମମୟ ଜୀବନର ଏକ ସତ୍ୟନିଷ୍ଠ ବିବରଣୀ।

‘‘ସବୁଜ ଯୁଗର ଅଗ୍ରଣୀ କବି କାଳନ୍ଦୀ ଚରଣ ପାଣିଗ୍ରାହୀ। ତାଙ୍କ ରଚିତ ମାଟିର ମଣିଷ ଏକ ସଫଳ କାଳଜୟୀ ସୃଷ୍ଟି । ମାଂସର ବିଳାପ ଓ ଉପହାର ଭଳି ଗଳ୍ପ ଓଡ଼ିଆ ସାହିତ୍ୟରେ ଅନନ୍ୟ। ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଏହି ପ୍ରତିଭାବାନ ସାହିତ୍ୟିକ ଏ ଜାତିର ଚିର ନମସ୍ୟ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।

ଯୁଗବାଣୀ, ଅବକାଶ, ସହକାର, ଭାରତବର୍ଷ ପତ୍ରିକାର ସମ୍ପାଦନ କରିବା ସହ ହିନ୍ଦୀ ସାହିତ୍ୟର ବିଖ୍ୟାତ କଥାକାର ପ୍ରେମଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ହଂସମାସିକ ପତ୍ରିକାର ସହଯୋଗୀ ସମ୍ପାଦକ ଭାବେ ସେ କାଯ୍ୟ କରିଥିଲେ। କେନ୍ଦ୍ର ସାହିତ୍ୟ ଏକଡେମୀ ପକ୍ଷରୁ ସେ ଫେଲୋ ଭାବେ ମନୋନୀତ ହୋଇଥିଲେ।

“କାଳନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟରେ ଚିର ସ୍ମରଣୀୟ ହୋଇ ରହିଛନ୍ତି। ରେଭନ୍ସା କଲେଜରେ ପାଠ ପଢ଼ିବା ବେଳେ ସାଙ୍ଗମାନଙ୍କ ସହ ମିଶି ସେ ଗଠନ କରିଥିଲେ ନନସେନ୍ସ କ୍ଲବ। ତାଙ୍କର ଅନେକ ଲେଖା ସ୍କୁଲ, କଲେଜରେ ପାଠ୍ୟ ଭାବେ ଗ୍ରହଣ କରାଯାଇଛି। ତାଙ୍କର ଅବଦାନ ଅତୁଳନୀୟ’’, ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଡକ୍ଟର ବସନ୍ତ କୁମାର ପଣ୍ଡା।

କାଳନ୍ଦୀ ଚରଣଙ୍କ ବିଶିଷ୍ଟ ସାହିତ୍ୟ କୃତି ମଧ୍ୟରେ ରହିଛି ମାଟିର ମଣିଷ, ମାଂସର ବିଳାପ. ଆଜିର ମଣିଷ, ଲୁହାର ମଣିଷ, ମୁକ୍ତାଗଡ଼ର କ୍ଷୁଧା।

Comment