ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ଜିଲ୍ଲାରେ ହେଲା ପ୍ରଥମ କରୋନା ମୃତ୍ୟୁ। ସୋମବାର ଜିଲ୍ଲାର ଜଣେ ମହିଳା ଭୁବନେଶ୍ୱର କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଥିସହ ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ଦୁଇ ପୁଅ ଓ ପୁତୁରା ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।

ମହିଳା ଜଣକ ସ୍ୱାସ୍ଥଗତ ସମସ୍ୟା କାରଣରୁ ଗତ ଜୁନ ୨୬ ତାରିଖରେ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ କଟକର ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟିଂ କରାଯାଇଥିଲା। ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା।

ମହିଳାଜଣକ ଅସୁସ୍ଥ ହେବା ପରେ ଆସାମରେ ଚାକିରି କରୁଥିବା ତାଙ୍କର ସାନପୁଅ ଘରକୁ ଚାଲି ଆସିଥିଲେ। ସେହିଦିନଠାରୁ ସେ ତାଙ୍କର ହସ୍ପିଟାଲରେ ଦେଖାଶୁଣା କରୁଥିଲେ। ମହିଳା ଜଣକ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପୁଅର ମଧ୍ୟ ସ୍ୱାବ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ମହିଳାଙ୍କ ଦୁଇ ପୁଅ ସମେତ ତାଙ୍କର ପୁତୁରା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଅନ୍ୟପଟରେ ମହିଳା ଜଣକ ରହୁଥିବା ମହାକାଳପଡା ବ୍ଲକ ଅଞ୍ଚଳରେ ମଧ୍ୟ ଏହି ଘଟଣାକୁ ନେଇ ଲୋକ ଚିନ୍ତାରେ ଅଛନ୍ତି। ତାଙ୍କ ପୁଅ ଏହି ସମୟ ମଧ୍ୟରେ ଗାଁର ଅନେକ ଲୋକଙ୍କ ସହ ମିଳାମିଶା କରିଥିଲେ। ତେଣୁ ତାଙ୍କଠାରୁ ସଂକ୍ରମଣ ଅନ୍ୟମାନଙ୍କୁ ବ୍ୟାପିବ ବୋଲି  କୁହାଯାଉଛି। ଗାଁର ଜଣେ ଜଳଖିଆ ଦୋକାନୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗାଁର ଦୁଇଟି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ମହିଳାଙ୍କ ପରିବାର ଓ ଜଳଖିଆ ଦୋକାନୀଙ୍କ ଛଡ଼ା ଗାଁରୁ ଏପର୍ଯ୍ୟନ୍ତ ୨୭ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା ପାଇଁ ପଠାଯାଇଛି।

ମହିଳାଙ୍କର ମୃତ୍ୟୁ ହେବାପରେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରର ଅନୁମତି ନେଇ ଭୁବନେଶ୍ୱରରେ ତାଙ୍କର ଶେଷକୃତ୍ୟ ହୋଇଛି। ଏଥିସହ ସ୍ୱାବ ସଂଗୃହିତ ସମସ୍ତ ସନ୍ଦିଗ୍ଧମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here