ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଏବେ ସମସ୍ତ ରେକର୍ଡ଼ ଭାଙ୍ଗିବା ଉପରେ। ଦିନକୁ ଦିନ ଏହ ତା’ର କରାଳ କାୟା ବିସ୍ତାର କରି ଚାଲିଛି ଯାହାକି ଓଡ଼ିଶା ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି। କରୋନା ପଜିଟିଭ କେସ ଓ ମୃତ୍ୟୁ ହାର ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବା ପଛରେ ଗୋଟିଏ ବଡ଼ କାରଣ ହେଉଛି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଆଗମନ। ତଥ୍ୟ ଅନୁଯାୟୀ ରାଜ୍ୟର ବାକି ୨୯ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଯେତେ ଏକା ଗଞ୍ଜାମ ଜିଲ୍ଲାରେ ତାହା ଢ଼େର ଅଧିକ।

ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଗୋଟିଏ ସମୟରେ ଏଡ୍‌ସ କ୍ଷେତ୍ରରେ ବି ଗଞ୍ଜାମ ଜିଲ୍ଲା ରେକର୍ଡ କରିଥିଲା। ୨୦୦୫ରୁ ୨୦୧୦ ମଧ୍ୟରେ  ଗଞ୍ଜାମ ଜିଲ୍ଲାରେ ଏଚଆଇଭି ସଂକ୍ରମଣ ହୁହୁ ବୃଦ୍ଧି ପାଇବା ସହ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।CGU new

ସ୍ୱାସ୍ଥ୍ୟ ଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ସୋନାମାଳି ବାଗଙ୍କ ମତରେ ସେତେବେଳେ ଗଞ୍ଜାମ ଯେମିତି ଏଚଆଇଭି ପ୍ରବଣ ଥିଲା ଠିକ ସେହିଭଳି ଏବେ ଏହା କୋଭିଡ଼ ପ୍ରବଣ ହୋଇଛି। ଏହାର ଏକ ବଡ଼  କାରଣ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସଚେତନ ନହେବା। ପ୍ରବାସୀ ଶ୍ରମିକମାନେ ମୌଳିକ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ଯତ୍ନବାନ ନହେଉଥିବା କାରଣରୁ ଏହି ଜିଲ୍ଲାରେ ବିଭିନ୍ନ ପ୍ରକାର ସଂକ୍ରମଣ ବଢୁଛି ବୋଲି ଶ୍ରୀମତୀ ବାଗ କହିଛନ୍ତି।

ମାର୍ଚ୍ଚ ୨୪ ତାରିଖରେ ଲକ ଡାଉନ ଘୋଷଣା ହେବା ପରେ ବିଗତ ତିନି ମାସ ମଧ୍ୟରେ ଓଡ଼ିଶାକୁ ଯେତେ ଶ୍ରମିକ ବାହାର ରାଜ୍ୟରୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ  ଅଧାରୁ ଅଧିକ  ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଏମାନଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷରୁ ୪ ଲକ୍ଷ। ଏହି ତିନି ଚାରି ଲକ୍ଷ ଲୋକଙ୍କ ଭିତରୁ ଅଧିକାଂଶ ଆସିଛନ୍ତି ସୁରତରୁ। ଯାହା ଦେଖାଯାଉଛି, ଅଧିକାଂଶ ସୁରତ ଫେରନ୍ତା  ସଂକ୍ରମିତଙ୍କ ଠାରେ ଡାଏବେଟିସ, ହାଇ ବ୍ଲଡ଼ପ୍ରେସର ଓ ସିଓପିଡ଼ି ଆଦି ପୁରୁଣା ରୋଗ ରହି ଥିବାରୁ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା କୁହାଯାଉଛି।

ଗୁଜରାଟରୁ ଯେଉଁ ପ୍ରବାସୀ ଶ୍ରମିକ ଫେରିଛନ୍ତି ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏକ ସମସ୍ୟା ହୋଇଥିବା ବେଳେ ଏଡ୍‌ସ ନିୟନ୍ତ୍ରଣ ବି ଏକ ସମସ୍ୟା ହୋଇଛି ।ଉଭୟ କରୋନା ଓ ଏଡ୍‌ସକୁ ପରିଚାଳନା କରିବା କାଠିକର ପାଠ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ପକ୍ଷରୁ ସମସ୍ତ ପ୍ରବାସୀ ଫେରନ୍ତାଙ୍କ ଏଚଆଇଭି ଟେଷ୍ଟ କରିବା ପାଇଁ ସ୍ଥିର କରାଯାଇଛି।

ଏଡ୍‌ସ ନିୟନ୍ତ୍ରଣ ସହିତ ଜଡ଼ିତ ବିଭିନ୍ନ ସଂସ୍ଥାକୁ ଏନେଇ ଦାୟିତ୍ୱ ଦିଆଯାଇଥିବା ପ୍ରକାଶ।ସମନ୍ୱିତ ପରାମର୍ଶ ଓ ପରୀକ୍ଷଣ କେନ୍ଦ୍ର ବା ଆଇସିଟିସିର ପରାମର୍ଶଦାତାଙ୍କ ସହାୟତାରେ ଏହି ଟେଷ୍ଟ କରିବା ପାଇଁ ଅପାତତଃ ଯୋଜନା ପ୍ରସ୍ତୁତ ହୋଇଛି।

ଆଇସିଟିସି କାଉନସେଲ ମାନେ ରାଜ୍ୟ ସରକାରଙ୍କଠାରୁ ଡାଟା ସଂଗ୍ରହ କରିବା ପରେ ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିଛନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ସ୍ୱେଚ୍ଛାସେବୀ ସଂସ୍ଥା, ଜିଲ୍ଲା ସ୍ତରୀୟ ନୋଡାଲ ଅଫିସର ଓ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ (ଟିବି ) ଏଡ୍‌ସ ସ୍କ୍ରିନିଂ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟସୂଚୀ ସ୍ଥିର କରିବେ। କେବଳ ଗଞ୍ଜାମ ନୁହେଁ ଅନ୍ୟ ଜିଲ୍ଲାରେ ମଧ୍ୟ ଏଡ୍‌ସ ପରୀକ୍ଷା କରିବାକୁ କୁହାଯାଇଛି।

ତେବେ ଏହି କାର୍ଯ୍ୟଟି ଏତେ ସହଜ ନୁହେଁ ବୋଲି କହିଛନ୍ତି ଜଣେ ଅଧିକାରୀ। ଯେହେତୁ ଜିଲ୍ଲାରେ କରୋନା ସାଙ୍ଘାତିକ ରୂପ ଧାରଣ କରିଛି ଏଡ୍‌ସ ପରୀକ୍ଷା ପାଇଁ କର୍ମଚାରୀ ମିଳିବା କଷ୍ଟକର। ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ କ୍ୱାରେଣ୍ଟାଇନ ସେଣ୍ଟରରେ ହିଁ ଏଚଆଇଭି ପରୀକ୍ଷା କରାଯିବ। କିନ୍ତୁ ପିପିଇ କିଟ ଦିଆନ ଗଲେ ରୋଗୀଙ୍କ ପାଖକୁ ଯାଇ ପରୀକ୍ଷଣ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ରୋକଠୋକ ମନା କରିଦେଇଥିଲେ।

ଏଣୁ ଏବେ ସଙ୍ଗରୋଧ କେନ୍ଦ୍ରରୁ ଘରକୁ  ଫେରିବା ପରେ ଏଡ୍‌ସ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତଥାପି ଏହା ସମ୍ଭବ ନୁହେଁ କାରଣ ସ୍ୱତନ୍ତ୍ର ଭାବେ ଏଡ୍‌ସ ପରୀକ୍ଷା କରିବାକୁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ଅଧିକନ୍ତୁ କରୋନା ସଂକ୍ରମଣ ଭୟରେ ପ୍ରବାସୀ ଶ୍ରମିକଙ୍କ ପାଖକୁ ଯିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଅମଙ୍ଗ ହେଉଛନ୍ତି।

ଗଞ୍ଜାମରେ  ଏହା ଏକ ବଡ଼ ଚ୍ୟାଲେଞ୍ଜ ଏଥିପାଇଁ ଯେ ତିନି ଚାରି ଲକ୍ଷ ଫେରନ୍ତାଙ୍କଠାରେ ଏଡ୍‌ସ ପରୀକ୍ଷା କରିବା ଆଦୌ ସମ୍ଭବ ନୁହେଁ। ସୂଚନା ଅନୁଯାୟୀ,ଏଚଆଇଭି ପରୀକ୍ଷା କରିବାକୁ ଗଞ୍ଜାମ ଜିଲ୍ଲାରେ ମାତ୍ର ୩୫ ଜଣ ସ୍ୱେଚ୍ଛାସେବୀ ଅଛନ୍ତି। ଏଡ୍ସ କ୍ଷେତ୍ରରେ କାମ କରୁଥିବା ସଂସ୍ଥା ‘ଅରୁଣା’ର ଜଣେ ସଦସ୍ୟ ଲୋକନାଥ ମିଶ୍ର କହିଛନ୍ତି ଯେ ସ୍ୱେଚ୍ଛାସେବୀଙ୍କ ଅଭାବ ବାସ୍ତବରେ ଏକ ବଡ଼ ପ୍ରତିବନ୍ଧକ। ତା’ଛଡ଼ା ଯେଉଁମାନେ ଏଡ୍‌ସ ପରୀକ୍ଷା ପାଇଁ ଟ୍ରେନିଂ ପାଇନାହାନ୍ତି ସେମାନଙ୍କୁ ସେଥିରେ କଦାପି ନିୟୋଜିତ କରାଯାଇ ପାରିବ ନାହିଁ।

ଏହି ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଏଡ୍‌ସ ପରୀକ୍ଷା ପୂର୍ବରୁ ବିଭିନ୍ନ ଗାଁରେ ପ୍ରଥମେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ସ୍ଥିର କରାଯାଇଥିବା ବିଷୟ କହିଛନ୍ତି ଜଣେ ଅଧିକାରୀ।ତେବେ କରୋନାର ଭୟ ଲୋକଙ୍କୁ ଏତେ ମାତ୍ରାରେ ଗ୍ରାସ କରିଛି ଯେ ସେମାନେ ଏଡ୍‌ସ ଟେଷ୍ଟ ପାଇଁ ଆଗେଇ ଆସିବେ କି ନା ତାହା କହିବା କଷ୍ଟକର।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏବେ ବି ଓଡ଼ିଶାରେ ପ୍ରାୟ ୫୦ ହଜାର ଏଚଆଇଭି ରୋଗୀ ଅଛନ୍ତି। ସରକାରଙ୍କ ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ରାଜ୍ୟକୁ ଏଡ୍‌ସ ମୁକ୍ତ କରିବା। ଏଣୁ ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିଛନ୍ତି ସେମାନଙ୍କ ସହଯୋଗ ଏକ୍ଷେତ୍ରରେ ନିତାନ୍ତ ଆବଶ୍ୟକ। ଯଦି ପ୍ରବାସୀ ଶ୍ରମିକଙ୍କ ଏଡ୍‌ସ ପରୀକ୍ଷା ଠିକଣା ଭାବରେ କରାନଯାଏ ତେବେ ସରକାରଙ୍କ ସମସ୍ତ ଏଡ୍‌ସ ନିୟନ୍ତ୍ରଣ ଯୋଜନା ବିଫଳ ହେବ ବୋଲି ଜଣେ ଅଧିକାରୀ ସ୍ପଷ୍ଟ କହିଛନ୍ତି।

Comment